।। ସବୁଠୁ ଭଲ ଆମର ଦେଶୀ।।
ସେ କାଳ ପଖାଳକୁ
ଝୁରେ ଲୋ ମିତଣୀ
ଶାଗ ,ବଡ଼ି ଚୂରା ଯେତେ,
ଦେଶୀ ମନ ଆମ
ଦେଶୀ ଖାଇବା ଗୋ
ଦେଉଥିଲା ଶାନ୍ତି କେତେ ।।ବାଡ଼ି ବାଇଗଣ ଭଜା ସାଥେ
ଦେଶୀ ଆଳୁ ତରକାରୀ,
ଉଷୁନା ଚାଉଳ ଭାତର ସୁଆଦ
ମନ ଯାଏ ତୃପ୍ତ କରି ।।ଢ଼ିଙ୍କି କୁଟା ଚୂନା
ଚାଉଳର ମଣ୍ଡା ପିଠା
ଆରିଷା, କାକରା, ସୁଆଦେ ଖାଇବା
କିଏ ଅବା ମିଳିବ ଆଉ ।।ବଉଲା ଗାଈର ମିଠା ମିଠା କ୍ଷୀର
ଜୀବନ ଗଢିଲା ଆମ,
ଘିଅ,ଦହି ସର ଲହୁଣୀ ଯେତେକ
କରିଲା ସେ ଆମ ନାମ ।।ବଉଳା ଗାଈର ଗୋବର ଖତରେ
ଧାନ କ୍ଷେତ ହସୁଥାଇ,
ବାଡ଼ି ବଗିଚାରେ ହସନ୍ତି ପରିବା
ସବୁଜ ସଂଗୀତ ଗାଇ ।।ଏକାଳେ ମଣିଷ ଖାଉଛି ଆନନ୍ଦେ
କେତେ ପିଜା ବରଗର,
ବିଦେଶୀ ଖାଦ୍ୟର ଆଦର ସବୁଠି
ସେତ ରୋଗ ବ୍ୟାଧୂର ଅଟେ ଘର ।।ଚାଇନିଜ ଖାଦ୍ୟ କେତେ ଯେ ସୁଆଦ
ଅଧା ସିଝା ଅଧା କଞ୍ଚା,
ମ୍ୟାଗି ଚାଉମିନ ଭୁଞ୍ଜଇ ମଣିଷ
ପୂର୍ଣ କରେ ନିଜ ମନୋବାଞ୍ଛା ।।ରସାୟନ ଖତ ଢାଳିଣ କ୍ଷେତରେ
ଫସଲ ଫଳଇ ଅତି,
ଖାଦ୍ୟ ସାଥେ ଆମେ
ଜହର ଭକ୍ଷଣ କରୁଅଛେ ନିତି ନିତି ।।ସବୁ ଖାଦ୍ୟ ଆମ ଅପମିଶ୍ରଣ ଯେ
ଶୁଦ୍ଧ ବୋଲି କିଛି ନାହିଁ,
ଅଳପ ଆୟୁଷ ହୁଅଇ ମଣିଷ
କାହାର ତେଜ ତ ନାହିଁ ।।ଫେରି ଆସନ୍ତାକି ସୁବର୍ଣ୍ଣ ସମୟ
ସେଇ ମଧୁମୟ ବେଳା,
ଦେଶୀ ଜିନିଷର ଆଦର ହୁଅନ୍ତା
ବିଦେଶୀର ବୁଡନ୍ତା ଭେଳା ।।ପଦ୍ମାବତୀ ବାରିକ
ଭୁବନେଶ୍ୱର