କଥା ଏମିତିକା
କଥାରେ କଥାରେ
ଆଖିରେ ଭରଇ ଲୁହ
କଥାର ଗୂଢ଼ତା
କଥା ହିଁ ତ ବୁଝେ
ହୃଦୟର କେତେ ମୋହ.
କଥା ଭରିଦିଏ
କଥାର ପୂର୍ଣ୍ଣତା
ଜୀବନର ପଥଧାରେ
କଥା ଝରିଯାଏ
କଥାର ପ୍ରବାହେ
ଯନ୍ତ୍ରଣା ଯେଉଁଠି ସରେ.
କଥା ପ୍ରେରଣାର
କଥା ପ୍ରଣୟର
ପ୍ରାଣରେ ସଞ୍ଚାରେ ଖୁସି
କଥା ହଜିଗଲେ
କଥା ସରିଯାଏ
ପ୍ରୀତି ହୋଇଯାଏ ବାସି.
କଥା ପଦକରେ
କଥା ଦେଇଯାଏ
ସାତ ଜନମକୁ କଣ୍ଟ
କଥା ଓଲଟିଲେ
କଥା ହାରିଯାଏ
ନୀରବେ ହୃଦୟ ଘଣ୍ଟ.
କଥା ଢାଳିଦିଏ
କଥାର ପିୟୁଷ
ପ୍ରୀତିଭରା ଆମନ୍ତ୍ରଣ
କଥାର ମୋହରେ
କଥା ହୁଏ ଛନ୍ଦି
ବାସ୍ନାୟିତ ପ୍ରତିକ୍ଷଣ.
କଥା ଏମିତିକା
କଥା କଟାକ୍ଷେ
ଜହର ପଡଇ ଝରି
କଥାର ପଟୁତା
କଥା କଟୁତା
ଜୀବନ ଦିଅଇ ସାରି.
କଥା ବି ତ ଥାଏ
କଥାର ଭାବରେ
ହୃଦୟ ହୁଅଇ ବନ୍ଦୀ
କଥା ହୁଡ଼ିଗଲେ
କଥା ବୁଡ଼ିଯାଏ
ଆତ୍ମା ଡୋର ଯାଏ ଛିଣ୍ଡି.
କଥା ବଢିଗଲେ
କଥା ଛିଡ଼ିଯାଏ
ସମ୍ପର୍କ ହରାଏ ମୂଲ୍ୟ
କଥାକୁ ମାଜିଲେ
କଥା ହୁଏ ମୋଟା
ଜିରା ଲାଗେ ସିରା ତୁଲ୍ୟ.
କଥାର ମାଧୁର୍ଯ୍ୟ
କଥାର ପ୍ରାଚୁର୍ଯ୍ୟ
ଅମର କରଇ ଜନେ
କଥାର ଅମୃତ
କଥା କରେ ପ୍ରୀତ
ସ୍ନେହ ଶ୍ରଦ୍ଧା ପ୍ରତିଦାନେ.
ସୁଜାତା ଦାସ
ବାଲେଶ୍ୱର