ଗାଈ ଗୋଠ ନାହିଁ, “ନାହିଁତ ଚାରଣ ଭୂଇଁ”
ଜଙ୍ଗଲତ ପଦା ନାହିଁ ଗଛ ଲତା
କେମିତି ଗୋଧୂଳି ଲଗନ ରଚିବ ଭାଙ୍ଗି କେଉଁ ନୀରବତା ?’
କୋଳାହଳ ମୟ ଜନ ସମାଜରେ ଖାଲି ଘର ଖାଲି ଘର
ପଡିଆ ଟାଙ୍ଗର,ଶ୍ମଶାନ, ଗୋଚର, ଯଥା
ସବୁଠି ଅମରୀ ଲତା
ଗୋଧୂଳି ଲଗନ କେମିତି ରଚିବ ଭାଙ୍ଗି କେଉଁ ବିଜନତା ?’
ତାତିଲା ଉହ୍ମେଇ ଉପରେ ସିଝୁଛି
ଖରାଖିଆ ବୈଦନାଥ, ଶ୍ରମିକ ମୁଣ୍ଡରେ ହାତ
ଉତପ୍ତ ଜ୍ଜ୍ଵଳନ୍ତ ଆଦିତ୍ୟ ଢାଳଇ ବାଇଗଣୀ ରଶ୍ମି ନିତ୍ୟ
ଗୋଧୂଳି ଲଗନ କାହିଁ
କବିଟିଏ ଭାବେ କେମିତି ଲେଖିବ ଗୋଧୂଳି ଲଗ୍ନ କୁ ନେଇ ?
ନିଛକ ମିଛଟେ ଲେଖିଦେବ ସିନା !
ପଢିଲେ ଜଗତେ ହେବେ ରେ ବଣା,
ଆଉ, ସେ ଗୋଧୂଳି ଲଗ୍ନ ତ ନାହିଁ
ବଦଳି ଯାଇଛି ପ୍ରକୃତିର ଦୃଶ୍ୟ ଗୋଧୂଳି ଲଗନ ସପନ ଯାଇଛି ହୋଇ ।।
ଗାଆଁ ଦାଣ୍ଡ ଧୂଳି ଦେହେ ହୋଇବୋଳି
ଘରଚଟିଆ ଙ୍କ ଖେଳ
ଗୋଧୂଳି ଲଗନ ବେଳ
ହମ୍ଵା ରଡିଛାଡି କଅଁଳା ବାଛୁରି ଗାଈ ଗୋଠ ପଲପଲ
ହାତରେ ପାଞ୍ଚଣ ଛତା ବାହୁଙ୍ଗି ରେ ଗାଈଆଳ ବଂଶୀ ସ୍ଵର
ସେଇତ ଗୋଧୂଳି ବେଳ ।।
ବେଳ ରତରତ ଖରା ଛାଇ ନୃତ୍ୟ
ବହଇ ଦକ୍ଷିଣା ପବନ
ବୁଡିବେ ବୁଡିବେ ପଶ୍ଚିମ ଆକାଶେ
ମହାପ୍ରଭୁ ବିକର୍ତ୍ତନ
ଜାଳିବ ଜାଳିବ ସଞ୍ଜବତୀ ବୋଉ
ଏଇତ ଗୋଧୂଳି ଲଗନ ।।
ଝାପସା ଦିଶୁଛି ଖଣ୍ଡିଆ ଜହ୍ନଟା
ପୂର୍ବ ଆକାଶ ର ପ୍ରାନ୍ତରେ
ଫୁଟିବ ଫୁଟିବ ତାରକା ଯେମିତି ପରତେ ଆସଇ ମନରେ,
ଶେଷ ଗୀତ ଗାଇ କୋଇଲି ବାହୁଡେ ବସାକୁ
ମୁଁ, ଉପଭୋଗ କରିଥିଲି ପିଲାଦିନେ
ସେହି, ଅମୀୟ ଗୋଧୂଳି ଲଗ୍ନକୁ ।।
ଖେଳ କୁଦ ସାରି ଘର୍ମାକ୍ତ ବଦନେ
ଗୃହାଭିମୁଖି ବାଳକେ
ଦଳ ଦଳ ହୋଇ ଆସନ୍ତି ଆନନ୍ଦେ
ଗାଆଁ ଦାଣ୍ଡେ କେଡେ ପୁଲକେ,
ଫୁଟି ନବ ମଲ୍ଲୀ ସୁଗନ୍ଧେ ପ୍ରକୃତି ଅପୂର୍ବ ଗୋଧୂଳି ଲଗନେ
ଉପଗତ ହେଉ ଥିଲା ମୋ ଗାଆଁରେ
ଦେଖିଥିଲି ପିଲା ଦିନେ ।।
ଆଜି ଡହଡହ ଖରାରେ ତିନ୍ତୁଛି
କାହିଁଗଲା ସେହି ଦିନ ମୁଁ ଭାବୁଛି
ସତେକି ଫେରିବ ସେ ପୁରୁଣା ଦିନ
ଆଜି ଦୁର୍ବିସହ ସବୁରୀ ଜୀବନ
ବସିବସି ଏଇ କଂକ୍ରିଟ୍ ଜଙ୍ଗଲେ, ସେ ଲଗ୍ନ କୁ ସ୍ଵପ୍ନ ଦେଖୁଛି ।।
• ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି,ଖୋର୍ଦ୍ଧା