ମାସ ଶ୍ରେଷ୍ଠ ମାର୍ଗଶୀର

ସବୁ ମାସ ମଧ୍ୟେ ସାର,
ଧରାକୁ ଆସିଲା ଏ ମାର୍ଗଶୀର,ବଉଳ ଲୋ
ମହାଲକ୍ଷ୍ମୀ ଆସିବେ କୁଟୀର,ବଉଳ ଲୋ।

ମହାଲକ୍ଷ୍ମୀ ଆଗମନ,
ପ୍ରତି ଗୁରୁବାର ଦେବେ ଦର୍ଶନ,ଵଉଳ ଲୋ
ସଫା ସୁତୁରା ରଖ ସଦନ,ବଉଳ ଲୋ।

ରାତି ନ ପାହୁଣୁ ଉଠି,
ଗୋମୟରେ ଘର ଦୁଆର ଲିପି,ବଉଳ ଲୋ
ନୂଆ ଚାଉଳରେ ଦେବୁ ଝୋଟି,ବଉଳ ଲୋ।

ନୂଆ ଧାନ କେଣ୍ଡା ଆଣି,
ମେଣ୍ଟା କରି ରଖିଥିଵୁ ଲୋ ପୁଣି,ବଉଳ ଲୋ
ଛିଟ ମାଣ କନା ଥିବୁ କିଣି,ବଉଳ ଲୋ।

ଗୁଆ ବାହାଡା କଉଡ଼ି,
ଧୁଆ ଧୋଇ କରି ରଖ ସଜାଡି,ବଉଳ ଲୋ
ଯଦି ନାହିଁ କିଣ ମାଣ ପେଡ଼ି,ବଉଳ ଲୋ।

ପ୍ରତି ବୁଧବାର ଦିନ,
ଘର ଲିପାପୋଛା କରି ଯତନ,ବଉଳ ଲୋ
ଆଣି ରଖିବୁ ଶୁକଳ ଧାନ,ବଉଳ ଲୋ।

ଉଠିଥିଵୁ ପାହାନ୍ତାରୁ,
ମାଣ ଵସାଇଵୁ ବଡ଼ି ସକାଳୁ,ବଉଳ ଲୋ
ମହାଲକ୍ଷ୍ମୀ ନ ଯିବେଲୋ ଘରୁ,ବଉଳ ଲୋ।

ଛେନା କଦଳୀ ଉଖୁଡା,
ଗୁଡ ଖସାନଡୁ ନଡ଼ିଆ ପେଡା,ବଉଳ ଲୋ
ମହା ଲକ୍ଷ୍ମୀଙ୍କର ଭୋଗ ଵଢା,ବଉଳ ଲୋ।

ମଧ୍ୟାହ୍ନ ସମୟ ହେଲେ,
କ୍ଷୀରି ଖେଚୁଡ଼ି ତୁ ଵାଢିଵୁ ଭଲେ,ବଉଳ ଲୋ
ନାନା ବ୍ୟଞ୍ଜନ ସାଗ ସାଥିରେ,ବଉଳ ଲୋ।

ଚିତୋଉ ମଣ୍ଡା କାକରା,
ଅପରାହ୍ନେ ଯାଚି ଦେଵୁଟି ପରା,ବଉଳ ଲୋ
ସୁଖେ ଚଳୁଥିଵୁ ବର୍ଷ ସାରା,ବଉଳ ଲୋ।

ଶ୍ରୀୟା ଚଣ୍ଡାଳୁଣୀ ଥିଲା,
ମାର୍ଗଶୀରେ ମାଣ ବସାଇ ଥିଲା,ବଉଳ ଲୋ,
ମାଆ ଲକ୍ଷ୍ମୀଙ୍କର ଦୟା ହେଲା,ବଉଳ ଲୋ।

ଧନ ଧାନ୍ୟ ପରିପୂର୍ଣ୍ଣ,
ଶ୍ରୀୟା କାଟିଗଲା ତାର ଜୀବନ,ବଉଳ ଲୋ
ଏତ କମଳାଙ୍କ ଅବଦାନ,ବଉଳ ଲୋ।

ଆଜି ଶେଷ ଗୁରୁବାର,
ମାଣ ବସା କାମ ସାର ଏଥର,ବଉଳ ଲୋ
ଲୋକମାତା କୃପା ଲାଭ କର,ବଉଳ ଲୋ।

ଅଶୋକ କୁମାର ପତି, ଦହିଗାଁ
42 mouza, CTC.

47 Likes 5 Comments

You might like

About the Author: Admin

5 Comments

Leave a Reply to Lizarani sahu Cancel reply

Your email address will not be published. Required fields are marked *