ନୀଳ ଅମ୍ଵର ଗମ୍ଭୀର ଭାବ କଳା ମେଘ ଆବରଣେ
ପହିଲି ଆଷାଢେ ଦୃଶିତ ହୋଇଲେ ପୁଲକିତେ ଘନ ବନେ
ଚନ୍ଦ୍ରିକା ତୋଳି ନୃତ୍ୟ ବିଭୋର ବନାନୀ ର “ଲତା କୁଞ୍ଜ
ତଳେ” ଅଜାଣତେ ମଣ୍ଡିତ କରି ଦେଇଥାଏ ଅହିଭୁଜ
ଏଇତ ଶାଶ୍ଵତ ପ୍ରେମ
କେଉଁ କଳାକାର କରିଲା ଏମିତି ବିଚିତ୍ର ଚିତ୍ର ଭିଆଣ ।।ଆକାଶେ ବିଭାସେ ପ୍ରଭାକର ପ୍ରଭା ପ୍ରଭାତେ “କୋମଳ କର
ପାଇ” ସରସୀରେ ସରସୀଜ ହସେ ପାଖୁଡା ମେଲାଇ ତାର
ଆଖି ଲାଖି ଯାଏ ଆହାକି ସୁନ୍ଦର ଦୁଧ ଅଳତାର ରଙ୍ଗ
ସତେ ବାଳ ଭାନୁ ବିହାର କରନ୍ତି ପ୍ରଲୁବ୍ଧ ହୋଇ ତା ସଙ୍ଗ
ଏଇତ ଶାଶ୍ଵତ ପ୍ରେମ
ଅତୁଳନୀୟ ଏ ନୈସର୍ଗୀକ ଭାବ ବିଧାତାର ଦିବ୍ୟ ଦାନ ।।ସଞ୍ଜୁଆ ଆକାଶେ ହସେ ଯେବେ ଶଶି ଝରେ କି ଅମୃତ ଧାରା
ଶୀତଳ କୌମୁଦୀ ଝରା ଝରଣା ରେ ଶୀତଳିତ ହୁଏ ଧରା
ପୁଷ୍କରିଣୀ ଜଳ ତରଙ୍ଗେ ଖେଳଇ ଢଳିଢଳି କୁମୁଦିନୀ
କୁମୁଦ ବାନ୍ଧବ ପ୍ରଣୟ ପରସେ ହସି ହସାଏ ମେଦିନୀ
ଏଇତ ଶାଶ୍ଵତ ପ୍ରେମ
ସ୍ଵର୍ଗୀୟ ପ୍ରେମ ୟେ ଚିର ଶାଶ୍ଵତ ଅଲୌକିକ ଜାଗରଣ ।।ବସନ୍ତ ଆସିଲେ ମଳୟ ପ୍ରବାହେ ପ୍ରକୃତି ତଲ୍ଲିନ ହୁଏ
ସବୁଜ ବନାନୀ ବୃକ୍ଷ ଲତା ନବ ପଲ୍ଲବ ରେ ଭରି ଯାଏ
କୃଷ୍ଣଚୂଡା ମଧୁ ମଳତୀ ଶାଳ୍ମଳୀ ପଳାଶ କୁସୁମ ରାଗ
ଦେଖି ପ୍ରଜାପତି ଉଡି ବୁଲେ ରଙ୍ଗେ ଗୀତ ଗାଉଥାଏ ଭୃଙ୍ଗ
ଏଇତ ଶାଶ୍ଵତ ପ୍ରେମ
ଅବର୍ଣ୍ଣନୀୟ ଏ ଅଦ୍ଭୁତ ସୌନ୍ଦର୍ଯ୍ୟ ପ୍ରଫୁଲ୍ଲିତ ମନ ପ୍ରାଣ ।।ମାଆ ଅନ୍ତଚିରି ଶିଶୁ ଜନ୍ମ ଦିଏ ମରଣାନ୍ତକ ଯନ୍ତ୍ରଣା
ସହି ଥାଏ କୋଳେ ସନ୍ତାନ କୁ ପାଇ ଭୁଲିଯାଏ ତା ବେଦନା
ରକତକୁ ଦୁଗ୍ଧ କରି ଶିଶୁ ମୁଖେ ଦେଇ କି ଆନନ୍ଦ ପାଏ
କୋମଳ କମଳ ସଦୃଶ ଶିଶୁର ମୁଖ ଦେଖି ହସୁଥାଏ
ଏଇତ ଶାଶ୍ଵତ ପ୍ରେମ
ନିଜ ସୁଖ ଭୁଲି ସନ୍ତାନ ପାଇଁ ତା ଉତ୍ସର୍ଗୀକୃତ ଜୀବନ ।।ବୃଷଭାନୁ ଜେମା ନନ୍ଦ ସୁତ କାହ୍ନା ଅମୀୟ ଭାବ ପୀରତି
ବିମଳ ଆନନ୍ଦ ନିଷ୍କାମ ପ୍ରେମର ପ୍ରଜ୍ୟୋଳିତ ଦିବ୍ୟ ଜ୍ୟୋତି
ଯୁଗ ଯୁଗ ପାଇଁ ଅଲିଭା ଅକ୍ଷରେ ଯାଜୋଲ୍ୟ ମାନ ଏ ଭାବ
ସୁବର୍ଣ୍ଣ ପ୍ରତିମା ସଙ୍ଗେ କଳା କାହ୍ନା ନିୟତି କଲା ସଂଯୋଗ
ଏଇତ ଶାଶ୍ଵତ ପ୍ରେମ
ନୈସର୍ଗିକ ଏହି ସ୍ଵର୍ଗୀୟ ପ୍ରେମ ତ ନିତ୍ୟ ସତ୍ୟ ଅମୃତିମ ।।ଚିର ଶାଶ୍ଵତ ଏ ବନର ମୟୂର ଆକାଶର ନୀଳ ମେଘ
ଚିର ଶାଶ୍ଵତ ଏ ସୂର୍ଯ୍ୟ ରଶ୍ମି ସଙ୍ଗେ ପଦ୍ମିନୀ ର ପ୍ରେମ ଭାବ
ଚିର ଶାଶ୍ଵତ ଏ ଇନ୍ଦୁ କୁମୁଦିନୀ ମଳୟ ଝରା ବସନ୍ତ
ମାତା ସନ୍ତାନର ବାତ୍ସଲ୍ୟ ମମତା ପ୍ରେମ ସତେ କି ଅଭେଦ
ଏଇତ ଶାଶ୍ଵତ ପ୍ରେମ
କୃଷ୍ଣ ପ୍ରେମେ ରାଧା ନିଷ୍କାମ ପ୍ରେମର ଭାବୋଛ୍ଵାସ ବିଦ୍ୟଦାନ ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା