ସଂସାରର ଏହି ମାୟା ଜାଲରେ
ମୁଁ ଆଜି ବନ୍ଧା କେବଳ ଲାଲି ରଙ୍ଗରେ
ଅଛୁଆଁ ସାଜି ଯାଏ ଘର ଲୋକଙ୍କ ଆଗରେ
ପଡି ରହିଥାଏ ଘରର ଗୋଟିଏ କୋଣରେ
ବାରଣ ଆଜି ମୋତେ ଠାକୁରଙ୍କୁ ପୂଜିବାରେ ,
ବଗିଚାରେ ପାଣି ଦେବାରେ,
ଆଉ ପୁଣି ଖେଳକୁଦ ପାଇଁ ସାଙ୍ଗସାଥୀଙ୍କ ମେଳରେ…।।
ନୁହେଁ ମୁଁ ଅତ୍ୟାଚାରିତା, ନୁହେଁ ମୁଁ ନିଷ୍ପେସିତା
ତଥାପି ବହିଯାଏ ଲୋତକର ନଦୀ
ମୋ କଜ୍ଜଳର ଧାରରେ
ମନା ଆଜି ମୋତେ ନିଜ ଆବଶ୍ୟକତାକୁ ପରିପ୍ରକାଶ କରିବାରେ…
ମୁଁ ଆଜି ଶିକ୍ଷିତା,
ତଥାପି ଲଜ୍ଜିତା,ନିଜକୁ ରଜସ୍ୱଳା କନ୍ୟା କହିବାରେ….।।
ଏହି ଯନ୍ତ୍ରଣା ସରିଯାଏ ନାହିଁ ଦୁଇ ଦିନରେ
ମାସ ଗୋଟିଏ ସରୁ ସରୁ ଆସିଯାଏ ପୁଣି ଅନ୍ୟ ଏକ ମାସରେ
ପାଞ୍ଚ-ସାତ ଦିନ ଯାଏ,
ଭରିଦିଏ ଶିଥୀଳତା ମୋ ଶରୀରରେ
ଅକୁହା ଭାବନା ଅକୁହା ବେଦନାକୁ
ଛାତି ତଳେ ଚାପି ଦିଏ ବାପା,ଭାଇ ଆଗରେ
ଅଜାଣତେ ଯଦି କିଏ ଜାଣି ଦିଏ
ସେ ପୁଣି କେତେ ଯେ ଉପହାସ କରେ…..।।
ତକିଆକୁ ମୁହଁରେ ଯାକି, ପେଟକୁ ଜାବୁଡ଼ି ଧରି
କେତେ ଯେ କଷ୍ଟ ସହି ଯାଏ ….
ବୋଉ ମୋର ମୁକ ସାକ୍ଷୀ ଏ ସବୁଥିରେ
ଭାବେ ସବୁ ଅଭିମାନ ଅଜାଡ଼ି ଦେବି ତା’ ଆଗରେ
ମାତ୍ର ସେ ଅବା କ’ଣ କରିପାରେ
ସେ ବି ତ ମାନି ଆସିଛି
ଏହାକୁ ଏକ ପରମ୍ପରାର ନାଁ ରେ…..
ମାନିବାକୁ ବାଧ୍ୟ କରେ ମୋତେ
ଋତୁସ୍ରାବକୁ ଏକ ଲଜ୍ଜ୍ୟାର ନାଁ ରେ….
ଝିଅ ତା’ର ବଡ଼ ହେଲାଣି ଭାବି
ସଜେଇ ଦିଏ ସେ ମୋତେ
ଏକ ବାସ୍ନାହୀନ ରଜନୀଗନ୍ଧାରେ …..।।
ବାଧ୍ୟ ବାଧକତା ରେ ମୁଁ ଏସବୁକୁ ଗ୍ରହଣ କରେ
ମାତ୍ର ଅନେକ ପ୍ରଶ୍ନ ଉଙ୍କି ମାରେ
ଏ ଅପ ପରମ୍ପରା ଆଉ ସଂସ୍କୃତି ଆଗରେ
ସତରେ କ’ଣ?
ଅପବିତ୍ରତା ଭରି ଗଲାଣି ମୋ ଶରୀରରେ
ଏଇ ଋତୁସ୍ରାବର ଆସିବା ପରେ ପରେ …।।
ଗାଁ ସଭ୍ୟତାରୁ ପାଦ କାଢି
ପାଦ ଥାପିଲି ମୁଁ ସହରର ଆଧୁନିକ ସଭ୍ୟତାରେ
ମନରେ ଆଶଙ୍କା ଆଉ ଭୟକୁ ସାଉଁଟି
ଗଛରେ ପାଣି ଢ଼ାଳି ଯତ୍ନ ନେଲି ଋତୁସ୍ରାବ ସମୟରେ
ଆରେ ନାଁ ଗଛଟି ମରିନି ବଞ୍ଚିଛି,
ଆଉ ଉଦ୍ୟାନ ଟି ଭରି ଯାଇଛି ନାନା ରଙ୍ଗର ପୁଷ୍ପରେ
ମୁଁ ପରା ଜନ୍ମଦାତ୍ରୀ,
ମୁଁ ଅବା କେମିତି କାରଣ ସାଜିପାରେ ଅନ୍ୟର ମୃତ୍ୟୁରେ….।।
ସମୟ ନୁହେଁ ଏହା ନାରୀକୁ
ବାପା-ଭାଇ ଠାରୁ ଦୂରରେ ରଖିବାରେ
ଅବା ଋତୁମତୀ ନାରୀକୁ ଅପମାନ ଦେବାରେ
ସମୟ ତ ଏବେ ସେବା,ଯତ୍ନ, ସମ୍ମାନ ଦେଇ
ନାରୀର ସ୍ୱଚ୍ଛତାକୁ ବଜାଇ ରଖିବାରେ
ନାରୀର ଋତୁସ୍ରାବକୁ ଆତ୍ମ ପରିପ୍ରକାଶ କରିବାରେ….।।
ମୁଁ ଆଜି ଗର୍ବିତା ନିଜକୁ ରଜସ୍ୱଳା କନ୍ୟା କହିବାରେ
ନୁହେଁ ମୁଁ ଅସ୍ପୃଶ୍ୟ, ନୁହେଁ ମୁଁ ଅପବିତ୍ର
ଏହା ଯେ ଏକ ପ୍ରକୃତିର ଦାନ ମୋ ଉପରେ
ଯାହା ମୋତେ କ୍ଷମତା ଦିଏ
କମଳମତୀ ଶିଶୁକୁ ଜନ୍ମ ଦେବାରେ,
ବାର ମାସେ ଛଅ ଋତୁ ଆସିପାରେ
ମାତ୍ର ମୁଁ ପ୍ରତିମାସେ ଋତୁମତୀ ସାଜି ପାରେ,
ମୁଁ ଆଜି ଗର୍ବିତା ନିଜକୁ ରଜସ୍ୱଳା କନ୍ୟା କହିବାରେ
ହଁ, ରଜସ୍ୱଳା କନ୍ୟା କହିବାରେ…..।।
ନାମ :- ଦେବଜାନି ବେହେରା
ସ୍ଥାନ:- ବାରିପଦା, ମୟୂରଭଞ୍ଜ