ପ୍ରୀତି ନୀଳ ନଈ ତୁଠ ପଥରରେ
ତମେ ବସିଥିଲ ଏକା
ସୀମିତ ସ୍ମିତରେ ଅବଗୁଣ୍ଠନରେ
ଓଦା ଥିଲା ଆଖି ପତା ।
ତନୁ ବଲ୍ଲରୀରେ ଲାଗି ରହିଥିଲା
ନଖ ଦାନ୍ତ କ୍ଷତ ଦାଗ
ନିଷ୍ପ୍ରଭ ଲାଗିଲା କନିଷ୍ଠ ମୁଦ୍ରିକା
ନୀଳ ନୀଳ ପଦ୍ମରାଗ ।
କାମନାର ଢେଉ ଚୁମି ଚୁମି ଯାଏ
ରକ୍ତିମ ଅଳତା ପାଦ
ରୁଣୁ ଝୁଣୁ ତମ ନୂପୁରର ଛନ୍ଦ
ନୀରବଇ ନଈଘାଟ ।
ଚେନାଏ ଚୁମାରେ ଚିହ୍ନି ପାରିବ କି
ଚାତକ ବିଚ୍ଛେଦ ଜ୍ୱଳା
ଲୁଚେଇ ରଖିଥା ଲୁଣି ଲୁହ ତକ
ବୁକୁ ତଳେ ଚାରୁ ଶୀଳା ।
ସୀଇଁ ଦିଅ ତମ ସ୍ମୃତିରେ ସ୍ୱପ୍ନକୁ
ସୁଖ ଚିରି ଯିବା ଆଗୁ
ଜଉମୁଦ ଦେଇ ଦୋଦୋଚିହ୍ନା ଦୁଃଖ
ସାଇତି ରଖିବ ସବୁ ।
ଟୋପି ଟୋପି ଲୁହ ପଖାଳ କଂସାରେ
ଦୁଃଖ ପଡୁଥିବ ଖସି
ସହି ପାରିବନି କହି ପାରିବିନି
ପାହି ଯାଉଥିବ ରାତି ।
ସୃଜନ କବି :କାଙ୍ଗାଳୀ ଚରଣ ସେଠୀ
ବର୍ତ୍ତଣ୍ଡା, ସୁକିନ୍ଦା, ଯାଜପୁର