ଉତ୍ତରଦାୟାଦ ସୂର୍ଯ୍ୟ ଅସ୍ତମିତ
ନୂତନ ଶୈଳୀର ଦିନଚର୍ଯ୍ୟାରେ ,
ପଶ୍ଚାତାପ କଲେ କି ହୋଇବ ଆଜି
ଆମ ଭବିଷ୍ୟତ ଅନିଶ୍ଚିତତାରେ ।୧ଅପସଂସ୍କୃତିକୁ ଆପଣାଇ ପିଲେ
କହନ୍ତି ଏଇଟା ମର୍ଡନ ଜୀବନ ,
ପରିବାର ଆଉ ସଂସ୍କାର ଶବ୍ଦଟି
ଲାଗୁଛି ସତେ କି ଅପମାନ ।୨କେତେ ଆଶା ନେଇ ମା ବାପା ମାନେ
ଯତନେ ପିଲାଙ୍କୁ ଗଢି ତୋଳନ୍ତି ,
ସେହି ପିଲା ଆଜି ବଡ ହେବାପରେ
ଚାଲି ଚଳନରେ ବଦଳିଯାନ୍ତି ।୩ଚା କପେ ଘରେ ଧରି ଯେ ନଥାଏ
ପେଗ୍ ସଜାଡେ ସାଙ୍ଗ ମେଳରେ,
ଫ୍ୟାନ୍ସି ଜୀବନଚର୍ଯ୍ୟା ଏ କୁଆଡେ
ଚିୟର୍ସ ନକଲେ ସମ୍ମାନ ହାରେ ।୪ଜୋକ ଭଳି ଏଇ ଅପସଂସ୍କୃତିଟା
ପିଲାଙ୍କ ମନରେ ବାନ୍ଧିଚି ବସା ,
ଛାଡି ପରିବାର ସଭ୍ୟତା ସଂସ୍କୃତି
ତିକ୍ତ କରନ୍ତି ଆଶା ଭରସା ।୫ପିତା ମାତା କାନ୍ଧେ ସନ୍ତାନ ର ଶବ
ଯାଉଅଛି ଆଜି ଶ୍ମଶାନ ଭୂଇଁ ,
ପଥଭ୍ରଷ୍ଟ ଏଇ ଯୁବ ସମାଜକୁ
ଦେଖିକି ଆଖି ଆସେ ଜକେଇ ।୬ତମସାଛନ୍ନ କରନାହିଁ ରେ ଜୀବନ
ନବ ଆଶା କର ଉଜ୍ଜିବିତ ,
ମାଆ ବାପାଙ୍କର ବାର୍ଦ୍ଧକ୍ୟର ସାଥୀ
ତୁମେ ନିଜେ ନିଜ ଭବିଷ୍ୟତ ।୭ମହାକାଳ ଫଳ ଭାରି ସୁନ୍ଦର ଯେ
ଭିତରଟା ତା’ର ପୋଡ଼ା ଅଙ୍ଗାର ,
ଚାକଚକ୍ୟ ଭରା ଅପସଂସ୍କୃତିଟି
ସନ୍ତାନ ଜୀବନ କରେ ଅନ୍ଧାର । ୮ଶାଳିନତା ରଖି ଜୀବନଚର୍ଯ୍ୟାରେ
ହର୍ଷୋଲ୍ଲାସେ ଭରି ରଖି ମନକୁ ,
ଅଶାନ୍ତ ନହୋଇ ସ୍ଥିର ଚିତ୍ତେ ରହି
ଜୀବନ ବଢାଇ ହୁଏ ଆଗକୁ ।୯ନଷ୍ଟ କରନାହିଁ ସୁନ୍ଦର ସଂସ୍କୃତି
ଅକାଳେ ଜୀବନ ନହେଉ ଅସ୍ତ ,
ସୁପଥେ ଚାଲିଲେ ଆସୁ ଯେତେ ବାଧା
ଜୀବନ ଯୁଦ୍ଧେ ହେବନି ପରାସ୍ତ ।୧୦।
ସସ୍ମିତା ଷଡ଼ଙ୍ଗୀ, ଭୁବନେଶ୍ୱର