କବିଙ୍କୁ ସମ୍ମାନ ଜଣେଇବା ପେଇଁ
ଜମୁଛି କବିତା ଆସର ।
ମାନପତ୍ର ବଫେ ପରଷା ଦେଖିଣ
ଥୋକାଏ ଫୁସୁରୁ ଫାସର ।।
ପ୍ରତିଭା ନଥାଇ ପ୍ରତିଭା ସମ୍ମାନ
ଅଚାନକ ମିଳି ଯାଉଚି ।
ଅଣ୍ଟିଧନ ସାରି କିଏବା କାହାକୁ
ମାଗଣାରେ ଯାଚି ଦଉଚି ??
ତୁମରି ଗୁଆକୁ ତୁମମୁଣ୍ଡେ ଛୁଇଁ
ନନା କରୁସେଁନ୍ତି କଲ୍ୟାଣ ।
ମୋଟା ଅଙ୍କେ ପୁଣି ଦକ୍ଷିଣା ପାଇକି
ଆଶିଷ କରନ୍ତି ଚାଲାଣ ।।
ସେଇମିତି ଏବେ ସାହିତ୍ୟ ପେଇଁକି
ସମାଜେ ଚାଲିଛି ବିଚାର ।
ପର ପଇସାରେ ସଂକୀର୍ତ୍ତନ କରି
କରିବା ସାହିତ୍ୟ ପ୍ରଚାର ।।
ଛତୁ ଫୁଟାପରି ଅନୁଷ୍ଠାନ ଏବେ
ଅମକ ଢମକ ନାଆଁରେ ।
ଡିଆଁ ରୋଗ ପରି ଡେଇଁ ଡେଇଁ ପୁଣି
ପଶିଲାଣି ଆସି ଗାଆଁରେ ।।
ମାଳମାଳ ଏବେ ପ୍ରାୟୋଜକ ବନ୍ଧୁ
କବିଙ୍କୁ ସାନ୍ତ୍ବନା ଦିଅନ୍ତି ।
ଇଆଡୁ ସିଆଡୁ ଟେକାଟେକି କରି
ହାତଗୁଞ୍ଜା କିଛି ନିଅନ୍ତି ।।
ବିକିଳିଆ କବି ଅଣ୍ଟିଧନ ସାରି
ପ୍ରତିଭା ସମ୍ମାନ ପାଉଚି ।
ଜାଣି ଶୁଣି ସିଏ ଶତ୍ରୁ ସଙ୍ଗେ ମିଶି
ସାହିତ୍ୟକୁ ପୋଡି ଖାଉଚି ।।
ମାନପତ୍ର ବଫେ ଲୋଡାନାହିଁ ଭାଇ
ବାହାଘର ଭୋଜି ପରିକା ।
ସାହିତ୍ୟର ତଣ୍ଟି କାଟିବା ପେଇଁକି
ନୁହଁଇକି ଅଣ୍ଟି ଛୁରୀକା ।।
ଏହି ପରମ୍ପରା କୋଉଠୁ ଆଇଲା
ସାହିତ୍ୟ ଉନ୍ନତି ନୋହିଲା ।
ସମଝଦାରଙ୍କୁ ଇସାରା ମୁଁ ଦେଲି
କହିଲେ କହିବ କହିଲା ।।
BY – ମଧୁସୂଦନ ମିଶ୍ର ,କେନ୍ଦୁଝର