ପାଷାଣ ହିଁ ତା ଶେଷ ଠିକଣା

ସ୍ଵପ୍ନିଳ ରଜନୀ କୋଳେ
ଜୋଛନା ଲହରି ତୋଳେ
କୋଣାର୍କର ଶୀତଳ ବୁକୁରେ
ଅପରୂପା ସୁକୁମାରୀ
ସାଜି ପ୍ରୀତି ଅଭିସାରୀ
ଶୀଳାପଦ୍ମ ଚନ୍ଦ୍ରଶାଳା ପୁରେ ।।

ଚପଳ ଛନ୍ଦାର ଛନ୍ଦ
ମିଳନର ଅନୁବନ୍ଧ
ପ୍ରଣୟର ମୁଗ୍ଧ ଅନୁସୂଚୀ
ପ୍ରୀତିର ମହ୍ଲାର ତୋଳେ
ବିମୁଗ୍ଧ ଅନ୍ତର ତଳେ
ବେଳା ଚୁମେ ଯଉବନ ବିଚି ।।

ସପନ ବିଭୋର ରାତି
ମୂର୍ଚ୍ଛନା ର ମଧୁଗୀତି
ବୁକୁତଳେ ପ୍ରୀତି ସୁଧା ଝର
ପ୍ରଣୟ ମଗନ ମନ
ପ୍ରତୀକ୍ଷା ର ତପୋବନ
ପ୍ରୀତିର ସେ କାଞ୍ଚନ ଜଙ୍ଘାର ।।

ମନ ତାର ପ୍ରୀତିମୟ
ତା ଚିର ଇପ୍ସିତ ପ୍ରିୟ
ଆସିବ ଏ ରଙ୍ଗଶାଳା ପୁରେ
ସପନର ସୌଦାଗର
ଚୁମିବ ରଙ୍ଗ ଅଧର
ପବିତ୍ର ଏ ପ୍ରଣୟ ବେଦିରେ ।।

ସପନ ଅଳସ ଭାଙ୍ଗେ
ବିରହିଣୀ ରାତି ଜାଗେ
ପ୍ରତୀକ୍ଷାରେ ଅମିତ ଛଳନା
ଆସିଲେନି ପ୍ରିୟତମ
ପ୍ରତାରଣା ହେଲା ପ୍ରେମ
ବିଧୁରା ଏ କୋଣାର୍କ ଲଳନା ।।

ନୁହଇଁତ ତା ଜୀବନ
ପ୍ରୀତିଫୁଲ ପଦ୍ମବନ
ରସମୟ ଅଭିସାର ପାଇଁ
ଗଢିଦେଇ ଥିଲା ଶିଳ୍ପୀ
ଅନୁପମ ରୂପ କଳ୍ପି
ଅଭିଶପ୍ତ ଯଉବନ ଦେଇ ।।

ମରିଛି ମନର ତୃଷା
ପ୍ରଣୟର ନୀଳ ଆଶା
ଶୂନ୍ୟ ଆଜି ତା ମନ ଅଗଣା
ପାଷାଣୁ ଜନମ ତାର
ପାଷାଣର ଅଭିସାର
ପାଷାଣ ହିଁ ତା ଶେଷ ଠକଣା ।।

କେଉଁ ଅଭିଶାପ ଫଳେ
କ୍ରୂର କାଳ କୋପାନଳେ
ବିସ୍ମୃତିର ଏ ସମାଧି ତଳେ
ହାରିଛି ଜୀବନ ବାଜି
ପଷାଣି ଅହଲ୍ୟା ସାଜି
ଜଳୁଅଛି ବିଦଗ୍ଧ ଅନଳେ ।।

 

ବେଣୁଧର ସୂତାର

କେଶଦୁରାପାଳ କେନ୍ଦୁଝର
ଦୂରଭାଷ -୯୧୭୮୫୬୮୨୪୬

12 Likes 1 Comment

You might like

About the Author: Admin

1 Comment

  1. Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?

Leave a Reply

Your email address will not be published. Required fields are marked *