ଲଲାଟ ଲିଖନ

ମାଆ ଦେଇଥାଏ ଅନ୍ତ ଫାଡ଼ି ଜନ୍ମ
ଭାଗ୍ୟ ତ ନ ଥାଏ ଦେଇ ,
ଲଲାଟ ଲିଖନ ନ ହୁଅଇ ଆନ
ଏନ୍ତୁଡ଼ିଶାଳ ରୁ ଜୁଇ ।୧

କୀଟ ରୁ ପତଙ୍ଗ ପଶୁ ଠାରୁ ପ୍ରାଣୀ
ହେଉ ମାନବ ଜୀବନ ,
ମାୟା ସଂସାରରେ ପ୍ରତି କ୍ଷଣେ ଘଟେ
ଭାଗ୍ୟ ର ପରିବର୍ତ୍ତନ ।୨

ସ୍ବୟଂ ଭଗବାନ ଭାଗ୍ୟ ର ବିଧାତା
ଜନମି ଏ ଧରାତଳେ ,
ଭାଗ୍ୟ ହାତରେ ସମର୍ପିଥିଲେ ନିଜକୁ
ଦୁଃଖଶୋକ ଭୋଗିଥିଲେ ।୩

ଘଟିବାକୁ ଯାହା ଅଛି ଏ ଜୀବନେ
ସମୟ ସାଥେ ଘଟିବ ,
ଏ ଧନ ସଂପତ୍ତି ଗର୍ବ ଅହଙ୍କାର
କ୍ଷଣିକେ ପାଉଁଶ ହେବ ।୪

ବିହି ଲେଖିଅଛି କପାଳରେ ଯାହା
ଅବଶ୍ୟ ଫଳିବ ଦିନେ
ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ ପରାଏ
ବଦଳି ଯାଏ ଜୀବନେ ।୫

ରାତିକ ଭିତରେ ରାଜା ହୁଏ ରଙ୍କ
ରଙ୍କ ହୋଇଯାଏ ରାଜା ,
କାହାପାଇଁ ମନ ଏତେ ରେ ବଡିମା
ବିଧାତା ହାତେ ତୁ ପ୍ରଜା ।୬

ବାଆ ବତାସରେ କେବେ ଦୋହଲିବ
ତୋର ଏ ଛପର ଖଣ୍ଡି ,
ଅଣଚାଶ ବାଆ ଦେଇଯିବ ଦଗା
ସମ୍ପର୍କ ଯିବରେ ଛିଣ୍ଡି ।୭

କାହା ଭାଗ୍ୟ ଭୋଗ ଦେଖି ହସ ନାହିଁ
କାଲି ତୋ ଦିନ ଆସିବ ,
ତୋର ହସ କାନ୍ଦ ଲଲାଟ ଲିଖନ
ନିଶ୍ଚିତ ଦିନେ ଫଳିବ ।୮

 

ସସ୍ମିତା ଷଡ଼ଙ୍ଗୀ, ଭୁବନେଶ୍ୱର

10 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *