ସମାଜରେ ଉଭୟ ନାରୀ ଓ ପୁରୁଷର ଗୁରୁତ୍ୱ ସମାନ ଏବଂ ବଞ୍ଚିବାର ଅଧିକାର ମଧ୍ୟ ସମାନ । ହେଲେ ଆଜିକାଲି ସମାଜର ଗତିବିଧି ଯେପରି ହେଲାଣି ସୁରକ୍ଷା କଥା ପଡିଲେ ଯାହା ଦେଖାଯାଏ ଆଇନ ମହିଳାଙ୍କ ସପକ୍ଷରେ ଆଗ କାର୍ଯ୍ୟକାରୀ ହେଉଅଛି । ଆଉ ସେମିତି ଦେଖିବାକୁ ଗଲେ ମହିଳା ମାନଙ୍କ ସୁରକ୍ଷା ପାଇଁ ମହିଳା କମିଶନ ମଧ୍ୟ ଅଛି ଯେଉଁଠିକି ମହିଳା ମାନେ ନିର୍ଯାତିତ ହେଲେ ମହିଳା କମିଶନକୁ ଯାଉଛନ୍ତି ଓ ମାମଲା ରୁଜୁ କରୁଛନ୍ତି । ମହିଳା କମିଶନ ଓ ଆଇନର ସମର୍ଥନ ସଙ୍ଗେ ସଙ୍ଗେ ମିଳିଯାଉଥିବା ଦ୍ଵାରା ମହିଳାମାନେ ଏବେ ଅଧିକ ସୁରକ୍ଷିତ ଅଛନ୍ତି । ଅନେକ ସମୟରେ ଦେଖିବାକୁ ମିଳେ ଏହାର ଫାଇଦା ମଧ୍ୟ ଅନେକ ମହିଳା ମାନେ ନେଉଛନ୍ତି । ଅନେକ ଜାଗାରେ ଖବର ପ୍ରକାଶ ପାଇବାର ଆମେ ଦେଖୁଛୁ ତ କେତେବେଳେ ଶୁଣିବାକୁ ପାଉଛୁ ଆମ ସମାଜର ଆଖପାଖ କିଛି ଜାଗାରେ ମହିଳା ମାନେ ପୁରୁଷ ମାନଙ୍କୁ ହଇରାଣ କରିବାର ଯାହାର କି ପ୍ରମାଣ ମଧ୍ୟ ରହିଛି । ଆହୁରି ମଧ୍ୟ ଅନେକ ଜାଗାରେ ପୁରୁଷ ମାନଙ୍କ ସହ କିଛି ମହିଳା ମାନେ ଖରାପ ବ୍ୟବହାର କରିଛନ୍ତି । ଘରେ ହେଉ କିମ୍ବା ବାହାରେ ପୁରୁଷ ମାନେ ବିନା ଦୋଷରେ ଦଣ୍ଡ ପାଉଛନ୍ତି ଯାହା ଦ୍ୱାରା ସେମାନେ ନିର୍ଯ୍ୟାତିତ ହେଉଛନ୍ତି । ଆମ ସମ୍ବିଧାନ ଅନୁସାରେ ଯିଏ ଭୁଲ କରିବ ତାକୁ ଦଣ୍ଡ ମିଳିବା ନିହାତି ଦରକାର ମାତ୍ର ଏହାର ମାନେ ଏହା ନୁହେଁ କି ମହିଳା ବୋଲି ତାଙ୍କ ଦଣ୍ଡ କିମ୍ବା ଶାସ୍ତିକୁ ଆମେ ନଜର ପକାଇବା ନାହିଁ । ସମାଜରେ ଉଭୟ ମହିଳା ଓ ପୁରୁଷ ସମାନ ଏବଂ ଏହି ସମାଜ ପାଇଁ ସମସ୍ତଙ୍କର ଅବଦାନ ମଧ୍ୟ ସମାନ ଭାବେ ରହିଅଛି । ଗୋଟେ ମହିଳା ଯେମିତି କାନ୍ଦି ପାରେ ସେମିତି ଗୋଟେ ପୁରୁଷର ମଧ୍ୟ କାନ୍ଦିବାର ଅଧିକାର ଅଛି ଓ ନିଜ ସମସ୍ୟା ସମ୍ପର୍କରେ କହିବାର ମଧ୍ୟ ଅଧିକାର ଅଛି । ହିନ୍ଦୀରେ ଗୋଟେ କଥା ଅଛି “ମର୍ଦ୍ କୋ ଦର୍ଦ୍ ନେହିଁ ହୋତା” ଯାହାକି ଆମେ ଛୋଟରୁ ବଡ଼ ହେବା ଯାଏଁ ଶୁଣି ଆସୁଅଛୁ । ହେଲେ ଗୋଟେ ପୁରୁଷ ଅନେକ ଦୁଃଖ କଷ୍ଟ ଯନ୍ତ୍ରଣା ସହ୍ୟ କରି ନିଜ ଭିତରେ ଚାପି ରହିଯାଉଛି କାହାକୁ ମନ କଥା କହିପାରୁ ନାହିଁ ତାହା ମାନେ ଏହା ନୁହେଁ ଯେ ସେ ନିଜ ଭିତରେ ବିତୁ ଥିବା ଯନ୍ତ୍ରଣା କାହାକୁ ଜଣାଇ ପାରିବ ନାହିଁ । ମହିଳା ମାନେ ପୁରୁଷଙ୍କ ଉପରେ ପକାଉଥିବା ମାନସିକ ଚାପ ଓ ଅତ୍ୟାଚାର ବଢ଼ିବାରେ ଲାଗିଛି ଏବଂ ପୁରୁଷ ମାନେ ନିର୍ଯ୍ୟାତିତ ହେଉଛନ୍ତି । ସୁପ୍ରିମକୋର୍ଟଙ୍କ ମନ୍ତବ୍ୟରୁ ଜଣାଯାଏ ଯୌତୁକ ନିର୍ଯାତନା ନେଇ ମହିଳାଙ୍କୁ ସୁରକ୍ଷା ଦେବା ଲାଗି ଯେଉଁ ଆଇନ୍ ତିଆରି ହୋଇଛି ତାହାକୁ ସେମାନେ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଦେଖାଯାଉଛି । ଅନେକ ସମୟରେ ସ୍ୱାମୀ ଘରକୁ ନିଜର ବୋଲି ନ ଭାବିବା, ଘରର ସଦସ୍ୟଙ୍କୁ ନ ଆପଣେଇବା, ଏକୁଟିଆ ରହିବାକୁ ଚେଷ୍ଟା କରିବା, ଘରର କାମରେ ହାତ ନ ଲଗାଇ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା ଆଉ ପରିଶେଷରେ ଟିକେ ଟିକେ କଥାରେ ଥାନା କୋର୍ଟ କଚେରୀର ଧମକ ଦେବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଭଳି ଅନେକ ମିଥ୍ୟା ଅଭିଯୋଗ ଆଣିବା ସହ ସ୍ୱାମୀ ଓ ସ୍ୱାମୀଙ୍କ ଘର ସଦସ୍ୟଙ୍କୁ ଡରାଇ ଆସୁଛନ୍ତି । ସ୍ୱାମୀକୁ ଟିକେ ଭଲ ପାଇବା କି ଯତ୍ନ ନେବାର ଦୂର କଥା ସେଥିରେ ନିଜ ସ୍ୱାର୍ଥକୁ ଆଗରେ ରଖି “ମୋତେ ତୁମେ ବୁଝୁନ ରୁ ଆରମ୍ଭ କରି ମୋତେ ତୁମେ ଜାଣିନ” ପର୍ଯ୍ୟନ୍ତ ଅନେକ କଥାରେ ବାପ ଘରକୁ ପୁରାଇ ମାନସିକ ଅତ୍ୟାଚାର ଦେଇ ଆସୁଛନ୍ତି । ତଥାପି ପୁରୁଷମାନେ ଚୁପ ହୋଇ ରହି ଯାଉଛନ୍ତି ଯେତେ ନିର୍ଯାତିତ ହେଉଥିଲେ ମଧ୍ୟ ଲୋକଲଜ୍ଜାକୁ ଡରି ସାମ୍ନାକୁ ଆସୁନାହାନ୍ତି ଅଳଟା ଅଭିଯୋଗ ବଦଳରେ ମୁହଁ ବନ୍ଦ କରି ସବୁ ସହି ଯାଉଛନ୍ତି କାରଣ ପୁରୁଷ ମାନଙ୍କର ସମ୍ମାନ ଘର ଠାରୁ ଅଧିକ ବାହାରେ ଥାଏ ଏବଂ ସମାଜରେ ଘର ଓ ବାହାର ଉଭୟ ଜାଗାରେ ତାଙ୍କର ଅନେକ ଭୂମିକା ରହିଥାଏ । ନିର୍ଯାତିତ ପୁରୁଷ ମାନେ ମୁହଁ ଖୋଲି ଦୋଷୀ ମହିଳାଙ୍କ ବିରୋଧରେ ଅଭିଯୋଗ ଦେବା ପାଇଁ ଏକ ସ୍ୱତନ୍ତ୍ର ଫୋରମର ଆବଶ୍ୟକତା ରହିଛି । ତେଣୁ ପୁରୁଷ କମିଶନ ଗଠନ କରିବା ଜରୁରୀ ମନେ ହେଉଛି । ମହିଳା ମାନଙ୍କ ଭଳି ବ୍ୟବସ୍ଥା ପୁରୁଷମାନଙ୍କ ପାଇଁ ମଧ୍ୟ ରହିବା ଉଚିତ୍ । ପୁରୁଷଙ୍କ ଉପରେ ହେଉଥିବା ଅତ୍ୟାଚାର , ମାନ ହାନି ମିଥ୍ୟା ମକଦ୍ଦମା ବିରୋଧରେ ଦେଶର ବିଭିନ୍ନ ରାଜ୍ୟର ପୀଡ଼ିତ ପୁରୁଷ ମାନେ ଦିଲ୍ଲୀ ଯନ୍ତରମନ୍ତର ଠାରେ ବିରୋଧ ପ୍ରଦର୍ଶନ କରିଥିଲେ । ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ହିମାଚଳ ପ୍ରଦେଶ ଆଦି ରାଜ୍ୟର ପୀଡ଼ିତ ପୁରୁଷମାନେ ପୁରୁଷ କମିିଶନ ଗଠନ ଲାଗି କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଥିଲେ । ଠିକ ସେହିପରି ଓଡ଼ିଶାରେ ପୁରୁଷ କମିଶନ ଗଠନ ପାଇଁ ୨୦୧୨ରୁ ଦାବି କରି ଆସୁଥିବା ବ୍ୟୋମକେଶ ତ୍ରିପାଠୀ ପୁରୁଷ କମିଶନ ଗଠନ ହେଉ ବୋଲି ନାରା ଲଗେଇ ଆସୁଛନ୍ତି । ତାଙ୍କ ମୁହଁରୁ ମଧ୍ୟ ଆମେ ଯାହା ଶୁଣି ଆସୁଅଛୁ କି ଭାରତୀୟ ସମ୍ବିଧାନର ଧାରା ୧୪ ଅନୁଯାୟୀ ଆଇନ ଆଗରେ ସମସ୍ତେ ସମାନ । ଯେଉଁଥିରେ କି ଲିଙ୍ଗଗତ ବିଭେଦ ରଖାଯିବା ଉଚିତ୍ ନୁହେଁ ହେଲେ ସେମିତି ହେବା ଦେଖା ଯାଏ ନାହିଁ । ଆଇନ୍ ସବୁବେଳେ ମହିଳାଙ୍କ ସମର୍ଥନରେ ଆଗ କାର୍ଯ୍ୟକାରୀ ହେଉଅଛି । ଯାହା ଦେଖାଯାଏ ଏବେ ଆଇନର ବିଧିବ୍ୟବସ୍ଥା ଯେମିତି ଭାବରେ କାର୍ଯ୍ୟକାରୀ ହେଉଅଛି ତାହା ଅନେକ ସମୟରେ ପୁରୁଷ ମାନଙ୍କୁ ନ୍ୟାୟ ଦେବାରେ ବିଫଳ ହେବାରେ ଲାଗିଛି । ଏମିତି ଚାଲିଲେ ଦିନକୁ ଦିନ ପୁରୁଷ ନିର୍ଯ୍ୟାତନା ବଢିଚାଲିଥିବ ତେଣୁ ଏହାକୁ ରକିବାକୁ ହେଲେ ମହିଳା କମିଶନ ଭଳି ପୁରୁଷଙ୍କ ପାଇଁ ମଧ୍ୟ ପୁରୁଷ କମିଶନ ଗଠନ ହେଉ ଏହା ହିଁ ପ୍ରତ୍ୟେକ ପୁରୁଷଙ୍କ ଦାବୀ । ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (National Crime Records Bureau) ତଥ୍ୟ ଅନୁସାରେ ପ୍ରକାଶିତ ଯେଉଁଠାରେ ଦର୍ଶାଯାଇଛି ବର୍ଷ ସାରା ଦେଶରେ ମହିଳାଙ୍କ ଅପେକ୍ଷା ପୁରୁଷ ମାନେ ଅଧିକ ଆତ୍ମହତ୍ୟା କରିଥିବାର ଜଣାପଡେ । ଘରୋଇ ହିଂସାର ଶିକାର ହେଉଥିବା ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ମାମଲା ବୃଦ୍ଧି ଘଟୁଥିବାକୁ ଦୃଷ୍ଟିରେ ରଖି ‘ଜାତୀୟ ପୁରୁଷ ଆୟୋଗ’ (National Commission For Men) ଗଠନ ଦାବିରେ ଏହି ଆବେଦନ କରାଯାଇଥିଲା । ଯାହାକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଏହି ଆବେଦନରେ ବିବାହିତ ପୁରୁଷଙ୍କ ଆତ୍ମହତ୍ୟାକୁ ମୁକାବିଲା କରିବା ଏବଂ ଘରୋଇ ହିଂସାର ଶିକାର ହୋଇଥିବା ପୁରୁଷଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବ ଅଧିକାର ଆୟୋଗକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା ଏବଂ ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଥିଲା । ଯେଉଁଥିରେ କି ପାରିବାରିକ ହିଂସା ତଥା ବୈବାହିକ ସମସ୍ୟାରେ ପୀଡିତ ହୋଇଥିବା ବିବାହିତ ପୁରୁଷଙ୍କ ଅଭିଯୋଗ ତୁରନ୍ତ ଗ୍ରହଣ କରାଯାଉ ସେ ସମ୍ପର୍କରେ କୁହାଯାଇଥିଲା। ସମସ୍ୟାର ସମାଧାନ ପ୍ରସଙ୍ଗକୁ ନେଇ ଭାରତର ଆଇନ ଆୟୋଗକୁ ଅନୁସନ୍ଧାନ କରିବା ପାଇଁ ଦାବି କରାଯାଇଥିଲା । ଆଜି ମଧ୍ୟ ପୁରୁଷ ମାନେ ଏହି ଆଶାରେ ରହିଛନ୍ତି ଯେ କେବେ ଆଇନର ବିଧିବ୍ୟବସ୍ଥା ନାରୀ ମାନଙ୍କ ଭଳି ପୁରୁଷ ମାନଙ୍କ ଅଭିଯୋଗ ଉପରେ ସେହିପରି ତତ୍ପର ଭାବରେ କାର୍ଯ୍ୟକାରୀ ହେବ ଆଉ ନିରୀହ ପୁରୁଷ ମାନଙ୍କୁ ନ୍ୟାୟ ଦେବାରେ ସଫଳ ହେବ । ତେବେ ଏହି ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ପ୍ରଶାସନ ଏହାର ପ୍ରତିକାର ନିମନ୍ତେ ପୁରୁଷଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ପକାଇ ପୁରୁଷ କମିଶନ ଗଠନ କରିବା ଭଳି କୌଣସି ପଦକ୍ଷେପ ନେଲେ ଭଲ ହୁଅନ୍ତା ।
ଚନ୍ଦନ କୁମାର ନାଥ
ଫୋ: ୮୧୪୪୧୯୫୦୮୮
ବାରିପଦା, ମୟୁରଭଞ୍ଜ