## ଉତ୍କଳର ଡାକ ##
ବାଲାଜି ସେଠୀ
ଦେଖ ଦେଖ ମୋର
ଉତ୍କଳୀୟ ବୀର
ଖୋଲିଣ ଅନ୍ତର ଆଖି
ଜାତି ନନ୍ଦିଘୋଷ
ହୋଇଣ ବିବଶ
ପଥରେ ପଡିଛି ଥକି ।
ଏକତା ଶୃଙ୍ଖଳେ
ସଜାଇ ସରବେ
ଆଗରେ ବାନ୍ଧ ହେ ଧାଡି
ପରସ୍ପର କାନ୍ଧ
ଯୋଡି ଟାଣିନିଅ
ଜାତି ରଥ ଯାଉ ଗଡି ।
ଉତ୍କଳ ସନ୍ତାନ
ବୋଲାଇ କେମନ୍ତ
ନିଜକୁ ଭାବୁଛ ନ୍ୟୁନ (!)
ଜ୍ଞାନର ତୁଣୀର
ହୋଇଅଛି ଶୂନ୍ୟ
ଭାଷା ଅସ୍ତ୍ରେ କର ପୂର୍ଣ୍ଣ ।
କୁଳବୃଦ୍ଧଗଣ
ଲଢ଼ି କରି ପଣ
ସ୍ୱତନ୍ତ୍ର ପ୍ରଦେଶ ଗଢି
ଉତ୍କଳର ମାନ
ହାତେ କରି ଦାନ
ଗଲେ ଇହଧାମ ଛାଡ଼ି ।
ବାପ ଜେଜେ ତୁମ
ଶୁଣିଥିଲେ କର୍ଣ୍ଣେ
ମାଆ ଓ ମାଟିର ଡାକ
ସେହି ରକ୍ତ ଆଜି
ଦେହରେ ବୁହାଇ
କେମିତି ହୋଇଛ ମୁକ !!
ଘର ଅମାରକୁ
ଫୁଙ୍ଗୁଳା ପକାଇ
ବିଦେଶେ ଖଟୁଛ ବେଠି
ସ୍ୱାର୍ଥକୁ ସର୍ବସ୍ବ
କରି ଭୁଲୁଅଛ
କାନ୍ଦୁଛି ଉତ୍କଳ ମାଟି ।
ପାଇକ ମାଟିର
ହେ ବୀର ପୁଙ୍ଗବ
ଜାଗ୍ରତ କର ସ୍ୱ ଚେତା
ମାତୃଭୂମି ମାତୃ-
ଭାଷା ସୁରକ୍ଷାର
ତୁମେ ଯେ ଭାଗ୍ୟ ବିଧାତା ।।
ଚିତ୍ରକୋଣ୍ଡା, ମାଲକାନଗିରି
Post-01