ସ୍ମୃତି ଗୋ ତୁମେ

ସ୍ମୃତି ଗୋ ତୁମେ    ନିଦାଘ ତାତିର
ଅଦିନ ବରଷା ଟୋପା,
ଘନ ଅନ୍ଧକାରେ   ଡିବିରି ଶିଖା ତ
ଛାଇ ଆଲୁଅର ଗପା  |

ବର୍ଷା ଭିଜା ରାତି   ଖୋଲାକାଶ ତଳେ
ମିଳନ ର ମଧୁ ବାସ୍ନା,
ଡାଏରୀ ଭିତର    ଅଦେଖା ଫର୍ଦରେ
ଅବଶୋଷ ବାକି ତୃଷ୍ଣା  |

ଭଗ୍ନ କୋଣାର୍କର    କଳା କାରୁ କା6ର୍ଯ୍ୟ
ଖୋଦିତ ପ୍ରସ୍ଥର ମୂର୍ତ୍ତି,
ଅଭିଲେଖ ପରେ   ଖୋଦେଇ ସାହିତ୍ୟ
ଶ୍ରମଣ ଅକ୍ଷୟ କୀର୍ତ୍ତି  |

ମନ ଅଭିଧାନେ    ଅତୀତ ବିଭବ
ଦୁଃଖ ସୁଖ ଲାଭ କ୍ଷତି,
କରଜ ଖାତାରେ   ପାରିବା ପଣିଆ
ଭାଇଙ୍କ ଅପାର ଖ୍ୟାତି  |

ଉପନ୍ୟାସ ଅବା   ଅଣୁଗଳ୍ପ ଥିରେ
ଦରଦ ଦରଜ ଉକ୍ତି,
ବାଧା ବିଘ୍ନ ଡେଇଁ  ଆଗକୁ ବଢିବା
ମାଆଙ୍କ ଅସୀମ ଶକ୍ତି  |

ଦାମିକା ଜାମାକୁ   ସ୍କୁଲ ଡ୍ରେସ ପ୍ୟାଣ୍ଟ
ଟାଇ, ବେଲ୍ଟ, ଜୋତା ଆଦି,
ଖଣ୍ଡିଆ ଚପଲ   ଚିରା କପଡାରେ
ବାପାଙ୍କ ଖୁସିର ପଦୀ   |

ସଞ୍ଜ ନଇଁଗଲେ    ପଶ୍ଚିମ ଆକାଶେ
କବି ଜୀବନର ବ୍ୟଥା,
ସୁରୁଜ ଉଇଁଲେ    ଆକାଶ ଫାଙ୍କରେ
ବନ୍ଦୀର ବିଳାପ କଥା  |

ଘଣ୍ଟା କଣ୍ଟା ପରି    ବୟସ ପ୍ରାଙ୍ଗଣେ
କେତେ ଅନୁଭୂତି ଗାଥା,
ଅବଶେଷ ସେଇ   ଦରପୋଡା ଦେହ
ଜିଅନ୍ତା ମଣିଷ ପନ୍ଥା   |

ସ୍ମୃତି ଗୋ ତୁମେ   ପ୍ରୀତି ନଈ କୂଳେ
ବନ୍ଧୁର ଦୁର୍ଗମ ରାସ୍ତା,
ଜୀବନ ନାଟକେ   କେବେ ସାଜ ତୁମେ
ବିରହର ବୋଝ ବସ୍ତା !

28 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *