କେତେଭାବକେତେ ଭାବନାଲହରି
ମନତଳେ ତୋଳେ ଚିତ୍ର ମଧୁର
ମୁଗ୍ଧ ଆବେଗରେ ଲହରିତ ଛନ୍ଦେ
ହୃଦ ତୀରେ ଝରେ କବିତା ସୁର
ମଧୁ ମାଦକତା ଏମନେ ଜାଗେ
ପଜ୍ଞାମୟୀର ସେ ପୁଣ୍ୟ ପଣତରୁ
ନିବିଡ଼ ହୃଦୟ ମମତା ମାଗେ ।।
ପ୍ରଜ୍ଞା ଚେତନାର ପାରିଜାତ କୁଞ୍ଜେ
ମଞ୍ଜୁଳ ସ୍ଵପ୍ନରେ ଦେଖାଏ ଆଶା
ସୁଷମା ଲଳିତ ଚାରୁ ରୂପକଳ୍ପ
ମାଧୁର୍ଯ୍ୟ ବୋଳାସେ ମଧୁର ଭାଷା
ଭାବ ଉନ୍ମାଦର ମୂର୍ଛନା ତୋଳେ
ଭାସିଯାଏ ମନ ଭାବନା ସ୍ରୋତରେ
ଶବ୍ଦ ବର୍ଣ୍ଣାଳୀର ତରଙ୍ଗ ମାଳେ ।।
ଅନୁଭବର ଏ ସୁଧା ସମ୍ମୋହନେ
ପୁରିଉଠେ ଆଜି ହୃଦ ସରସୀ
ସପନଭରା ଏ କଳ୍ପନା ନୟନେ
ଜ୍ଞାନ ସୁଧା ମଧୁ ଦିଏ ପରଶି
ଭାବ ଲହରିରେ ଯାଉଛି ଭାସି
ଅଭାବ ବୋଧରେ ଅମାନିଆ ମନ
ଲେଖୁଛି ଅଳପ ଭାବୁଛି ବେଶି ।।
ହୃଦୟ ତନ୍ତ୍ରୀର ପ୍ରତି ସ୍ପନ୍ଦନରେ
ନବ ଉନ୍ମେଷର ଭାବ ହିଁ ତୁମେ
ତୁମେ ନିଃଶବ୍ଦର ତନ୍ମୟ ଝଙ୍କାର
ବିଦଗ୍ଧ ମୋର ଏ ଅନ୍ତର ଭୂମେ
ଚିର ଉଦ୍ଭାସିତ କାବ୍ୟ ନାୟିକା
ସାରସ୍ଵତ ତୀରେ ମଗ୍ନ ତପସ୍ୱୀ ମୁଁ
ତୁମେ ମନ ମରୁଦ୍ୟାନ ମଲ୍ଲୀକା ।।
ଆତ୍ମୀୟତା ପଣେ ତୁମେ ଆସପରା
ଭାବ ମଧୁରେ ଏ ଲେଖନୀ ଧାରେ
ଭିଜା ଅନୁରାଗେ ପ୍ରଜ୍ଞାର ପରାଗେ
ମୂର୍ଚ୍ଛନା ତୋଳୁଛ ଅମିୟ ସୁରେ
ଭାବ ବିଭୋରେ ମୁଁ ଧରିଛି ମସୀ
ତୁମ ପ୍ରତୀକ୍ଷାରେ ଦିଗହରା ମନ
ଲେଖୁଛି ଅଳପ ଭାବୁଛି ବେଶି ।।
By – ବେଣୁଧର ସୂତାର
କେଶଦୁରାପାଳ କେନ୍ଦୁଝର