ଲୁହ ଲହୁ ମୋର ହୃଦୟ ଦ୍ଵୀପରେ
ଅଜାଡ଼ି ଦେଇଚି ଆଜି ,
ଭକ୍ତି କୃପା ଭାବ ଆଦି ପଞ୍ଚାକ୍ଷରେ
ତୁମ ପାଇଁ ଦେଲି ସାଜି ।
ଦରଶନ ଆଶା ନେଇ ମହାଦେବ
ଭକ୍ତି ର ପାହାଚ ଚଢି ,
କାହିଁ କେତେ ଦୂରୁ ଆସନ୍ତି ଭକତେ
ପାଖକୁ ତୋହର ଭିଡି ।
କାଳଙ୍କ ର କାଳ ଆହେ ମହାକାଳ
କର କରୁଣାର ବର୍ଷା ,
ମାନସିକ ନେଇ ବସନ୍ତି ଯେ ଚାହିଁ
ପୂରିଯାଉ ତାଙ୍କ ଆଶା ।
ରକ୍ତିମ ଆଭାରେ ଲେଖିହେଇଯାଏ
ଦେଶପ୍ରେମର କାହାଣୀ…
ମାଟିମା ପାଇଁ ନିଜ ଜୀବନକୁ
ବଳିଦେଲେ ଜାଣିଜାଣି!!
ଶତାବ୍ଦୀର ସ୍ତୁପ ତଳୁ
ବୀରତ୍ୱ ରହେ ଅଖଣ୍ଡ,
ଯେବେ ଯେବେ ମନେପଡେ
ପୁଲୁୱାମା ହତ୍ୟାକାଣ୍ଡ!!
ଆଜି ବି ହୃଦୟେ ବହ୍ନି ଜଳି ଉଠେ
ଶୁଣିଲେ ଶହୀଦ ଗାଥା
ସବୁଦିନ ପାଇଁ ଅକ୍ଷୟ ରହିବ
ଯୁଗ ଯୁଗକୁ ଏ କଥା!!
କୌଶଲ୍ୟା ଗେରୁ, କେନ୍ଦ୍ରାପଡ଼ା
ରକ୍ତ ଭିଜା ଇତିହାସ ପୃଷ୍ଠା
କହେ ସହୀଦ ର ବୀରହ ବ୍ୟଥା
କେତେ ଦେଖିଥିଲା ସ୍ବପ୍ନ ଆଇନା
ଭାଙ୍ଗି ଦେଲା ମୃତ୍ୟୁ ର ମାଟି ଏକା ll
ଚାକରି ମୋଡ଼ ରେ ବିପଦ ଛିଡା
ମରଣ ମୁକୁଟ ପ୍ରତି ମୁହୂର୍ତ୍ତ ରେ ପିନ୍ଧା
ଦିନ ଥିଲା ମାଆ ସନ୍ତାନ ର ଜିଣା
ମଲା ପରେ ବୀରପୁତ୍ର ଭାବେ ଉଭା ll
ମନେପଡେ ଆଜି ସେ କରୁଣ କାହାଣୀ
ନଇଁ ଯାଏ ଭାରତ ର ମଥା ମଣି
ଗୁମୁରି କାନ୍ଦେ ତା’ ଗାଁ ମଶାଣି ଭୂଇଁ
ଆତ୍ମା ମିଶିଯାଏ ପାଣି, ପବନ ରେ ମେଳି ll
ଚାଳିଶ ଯବାନ ନିଦ୍ରାରେ ମୁଦିତ
ଧାଡି – ଧାଡି ହୋଇ ପ୍ରାଣ ତ୍ୟାଗ
ଦେଖିବା କୁ ସତେ ଯେମିତି ପରି
ଶିତ ରେ ପତାକା ରେ ଘୋଡାଇ ll
ଶରତ ମନହିରା
କାଳକୁଟ ( ବଲାଙ୍ଗୀର )
ଦେଶ ବୀର ମାନେ ଆମ ଭଲ ପାଇଁ ,
ଶତ୍ରୁ ଙ୍କ ସହିତ କରନ୍ତି ଲଢେଇ।
ନିଜ ପ୍ରାଣ ବଳି ଦେଇ ସେ ଦେଶ କୁ ,
ଜଗି ରହିଛନ୍ତି ଭାରତବର୍ଷ କୁ।
ପୁଲ୍ଓ୍ବାମା ପରି କେତେ ହତ୍ୟାକାଣ୍ଡ ,
କ୍ଷୟ କ୍ଷତି ଦେଖି ଥରଇ ବ୍ରହ୍ମାଣ୍ଡ ।
ଭାରତୀୟ ୟାକୁ ଖାତିରି ନକରି ,
ଶତ୍ରୁ ଙ୍କ ନିପାତ କରେ ବୀର ପରି ।
ନିଗମାନନ୍ଦ ନାୟକ
ବେଲପାଳ , ମୟୂରଭଞ୍ଜ
ମର ଶରୀରରେ ଅମର ଏ କୀର୍ତ୍ତି
ଯୁଗେ ଯୁଗେ ଥାଏ ରହି
ପୁଲାୱାମା ଘଟଣା ମନେ ପଡେ ଯେବେ
ଲୁହ ଆପେ ଯାଏ ବହି……….
ଚାଳିଶ ଜୱାନ ଦେଇଥିଲେ ପ୍ରାଣ
ଫେବୃୟାରୀ ଚଉଦରେ
୨୦୧୯ ମସିହା ଦେଶପାଇଁ ଲଢ଼ି
ପଶିଗଲେ ମାଁ କୋଳରେ………
ବିନା ଦୋଷେ ସିଏ ଅମର ସାଜିଲେ
ଦୁଷ୍ଟ ମାଓ ବିଭୋରରେ
ଜାଣିନ ପାରିକି ଛନ୍ଦ ଛଳ କଥା
ସେ ଷଡ଼ଯନ୍ତ୍ର ବିଷୟରେ………
ଜନଲୋକ ପାଇଁ ପ୍ରେମର ଦିବସ
ଥିଲାଟି ସେଦିନ ସତ
ପ୍ରେମ ଦିଆସିଲିରେ ପ୍ରତ୍ୟେକ ବୀରର
ଆତ୍ମାକୁ କରିବା ଶାନ୍ତ…………
*ରେ ରେ ଧୂର୍ତ୍ତ ମାଓ* ……..
ଛଳ କରି ଯେତେ ଆଗକୁ ବଢ଼ିଲେ
ଫଳ ଯେ ହୋଇଛି ଥୁଆ
ଆମ ବୀର ମାନେ ମରି ମଧ୍ଯ ଆଜି
ହେଲେ ହୃଦୟର ଦିଆ………
ଲିସା ପଧାନ
ବରଗଡ଼
ସାରା ବିଶ୍ବ ଯାକ ପାଳୁ ଥିଲା ଯେବେ
ପ୍ରେମରେ ପ୍ରେମ ଦିବସ,
ସେହି ଦିବସରେ ସୁଖେ ଶୋଇଗଲେ
ଭାରତ ମାଆର ଶିଷ ।
ସ୍ଵର୍ଗ ରେ ସତେକି ପ୍ରମାଦ ପଡ଼ିଲା
ଲୋଡା ପଡିଲାକି ବୀର,
ସେଥିପାଇଁ ବୋଧେ ସ୍ଵର୍ଗ ରୁ ଆସିଲା
ପୁଲବାମା କୁ ଖବର।
ଅଜୟ ସେ ବୀର ଅମର ସେ ଚିର
ମାତୃଭୂମି ପାଇଁ ଦେଲେ ଶିର,
ଶୂନ୍ୟ କରି ଗଲା ମାଆ କୋଳ ସତେ
ଚତୁଃର୍ଦିଗ କରି ସତେ ଅନ୍ଧାର ।
ମନେ ପଡିଗଲେ ସେଇ ଦିନ କଥା
ସ୍ପନ୍ଦନ ବି ଥମିଯାଏ,
ଶହୀଦ ବୀରଙ୍କର ଚରଣ ତଳେ ଶିର
ବାର ବାର ନଇଁଯାଏ ।
ସ୍ଵପ୍ନା ବାଗ
ବଲାଙ୍ଗୀର
…..ନାରୀର ରୂପ…..
***************
*******
ନଳିନୀ ସମ ନାରୀ ପ୍ରସ୍ଫୁଟିତ
ସମାଜ ଭିତରେ ଥାଇ,
ସେ ନାରୀ ଆଜି ବିଶ୍ୱେ ପରିଚିତ
ସମାଜ ଉଦ୍ଧାର ପାଇଁ ll
କେବେ ଜାୟା ପୁଣି ଭଗିନୀ ସେ ତ
ଅଟେ ଜନନୀ ସ୍ୱରୂପ,
କନ୍ୟା ସାଜି ସିଏ କରୁଛି ସଂଳାପ
ଅଦ୍ଵିତୀୟ ତା’ର ରୂପ ll
ମା’ ହୋଇ ଦିଏ ମମତାର ଛାୟା
ଭଗିନୀ ରୂପରେ ସ୍ନେହ,
ସ୍ୱାମୀ ପାଖେ ସେ ସମର୍ପିତା ହୋଇ
ବଢାଏ ପ୍ରେମର ମୋହ ll
କେତେବେଳେ ନାରୀ ଦୁର୍ବଳା ହୋଇ
ସହଇ ଭୀଷଣ କଷ୍ଟ,
ଅସହ୍ୟ ହେଲେ ଦଶଭୁଜା ହୋଇ
ପାପକୁ କରଇ ନଷ୍ଟ ll
ଗୁଣେ ଗୁଣମତି ରୂପେ ରୂପସୀ
କର୍ମରେ କରମମୟୀ,
ଦୁଇ କୁଳେ ଯେ ହିତର ସାଧିକା
ଦୁହିତା ଅଟଇ ସେଇ ll
ପାପୀ ହାତେ ସେ ନ ଛାଡେ ନିଜକୁ
ଦେଖାଏ ସହସ୍ର ରୂପ,
ମୃତ୍ୟୁ ସମ୍ମୁଖେ ସଂଘର୍ଷ କରଇ
ସାହସ ତା’ର ଅମାପ ll
ନୁହଇ ନାରୀ ଅବଳା ଦୁର୍ବଳା
କରିବନି କବେ ହେଳା,
ତା’ ରୂପ ଆଜି ବିଶ୍ୱେ ପ୍ରଜ୍ଵଳିତ
ଧନ୍ୟ ଅଟେ ତା’ର ଲୀଳା ll
✍️ବିନୟପ୍ରଭା ମହାନ୍ତ
।। ସବୁଠୁ ଭଲ ଆମର ଦେଶୀ।।
🌳🌳🌳🌳🌳🌳🌳🌳🌳🌳ସେ କାଳ ପଖାଳକୁ
ଝୁରେ ଲୋ ମିତଣୀ
ଶାଗ ,ବଡ଼ି ଚୂରା ଯେତେ,
ଦେଶୀ ମନ ଆମ
ଦେଶୀ ଖାଇବା ଗୋ
ଦେଉଥିଲା ଶାନ୍ତି କେତେ ।।ବାଡ଼ି ବାଇଗଣ ଭଜା ସାଥେ
ଦେଶୀ ଆଳୁ ତରକାରୀ,
ଉଷୁନା ଚାଉଳ ଭାତର ସୁଆଦ
ମନ ଯାଏ ତୃପ୍ତ କରି ।।ଢ଼ିଙ୍କି କୁଟା ଚୂନା
ଚାଉଳର ମଣ୍ଡା ପିଠା
ଆରିଷା, କାକରା, ସୁଆଦେ ଖାଇବା
କିଏ ଅବା ମିଳିବ ଆଉ ।।ବଉଲା ଗାଈର ମିଠା ମିଠା କ୍ଷୀର
ଜୀବନ ଗଢିଲା ଆମ,
ଘିଅ,ଦହି ସର ଲହୁଣୀ ଯେତେକ
କରିଲା ସେ ଆମ ନାମ ।।ବଉଳା ଗାଈର ଗୋବର ଖତରେ
ଧାନ କ୍ଷେତ ହସୁଥାଇ,
ବାଡ଼ି ବଗିଚାରେ ହସନ୍ତି ପରିବା
ସବୁଜ ସଂଗୀତ ଗାଇ ।।ଏକାଳେ ମଣିଷ ଖାଉଛି ଆନନ୍ଦେ
କେତେ ପିଜା ବରଗର,
ବିଦେଶୀ ଖାଦ୍ୟର ଆଦର ସବୁଠି
ସେତ ରୋଗ ବ୍ୟାଧୂର ଅଟେ ଘର ।।ଚାଇନିଜ ଖାଦ୍ୟ କେତେ ଯେ ସୁଆଦ
ଅଧା ସିଝା ଅଧା କଞ୍ଚା,
ମ୍ୟାଗି ଚାଉମିନ ଭୁଞ୍ଜଇ ମଣିଷ
ପୂର୍ଣ କରେ ନିଜ ମନୋବାଞ୍ଛା ।।ରସାୟନ ଖତ ଢାଳିଣ କ୍ଷେତରେ
ଫସଲ ଫଳଇ ଅତି,
ଖାଦ୍ୟ ସାଥେ ଆମେ
ଜହର ଭକ୍ଷଣ କରୁଅଛେ ନିତି ନିତି ।।ସବୁ ଖାଦ୍ୟ ଆମ ଅପମିଶ୍ରଣ ଯେ
ଶୁଦ୍ଧ ବୋଲି କିଛି ନାହିଁ,
ଅଳପ ଆୟୁଷ ହୁଅଇ ମଣିଷ
କାହାର ତେଜ ତ ନାହିଁ ।।ଫେରି ଆସନ୍ତାକି ସୁବର୍ଣ୍ଣ ସମୟ
ସେଇ ମଧୁମୟ ବେଳା,
ଦେଶୀ ଜିନିଷର ଆଦର ହୁଅନ୍ତା
ବିଦେଶୀର ବୁଡନ୍ତା ଭେଳା ।।ପଦ୍ମାବତୀ ବାରିକ
ଭୁବନେଶ୍ୱର
।। ତୁମ ନାମଧ୍ୟାୟି।।
✍️✍️✍️✍️✍️✍️✍️
ହେକୃଷ୍ଣ ହେକୃଷ୍ଣ କହି
ଯାଉଛି ମୋ ଦିନ ,
ଅନ୍ତରୁ ଜପୁଛି ତୁମକୁ
ଆହେ ଘନ ଶ୍ୟାମ ।।
ପଲକେ ଭରିଛି ତବ
ମୁଗ୍ଧ ରୂପ ଛବି
ଯେସନେ ପଙ୍କରେ ପଦ୍ମ
ଅଛି ମନେ ଭାବି ।।
ନୟନେ ମୋ ଢଳଢଳ ହୁଏ
ତବ ଚକାଆଖି ଦେଖି,
ନୟନୁ ମୋ ବହୁଥାଏ
ତମ କଳାରଙ୍ଗ ଦେଖି ।।
ତବ ଶ୍ରୀଚରଣରେ
ଭକ୍ତି ଅର୍ଘ୍ୟ ଢାଳି
ଅର୍ପଣ କରୁଛି ମୁହିଁ
ମୋ ହୃଦୟକୁ ଖୋଲି ।।
ଜୀବନ ଜିଜ୍ଞାସା ସବୁ
ତୁମେ ମୋ ପିପିସା
ଆନ ଲୋଡେ ନାହିଁ ଆଉ
ତୁମେ ମୋର ଶେଷ ଆଶା ।।
ମାୟାର ବନ୍ଧନେ ବନ୍ଧା
ଏ ମାୟା ସଂସାର
ମାୟା ଜାଲେ ଛନ୍ଦା
ମୋର ଏହି ମନ ।।
ଏଭବ ସଂସାରୁ ମୋତେ
ଉଦ୍ଧାର କର ହେ ପ୍ରଭୁ ,
ତବ ଶ୍ରୀ ଚରଣେ ନାଥ
ଗୁହାରି କରେ ଏ ଅଧମ ।।
ପାଣିର ଫୋଟକା ସମ
ଜୀବନ ମୋହର
ନିମିଷେ ବିଲିନ ହେବ
ମୁଁ ତବ କିଙ୍କର ।।
ଦେଖୁ ଦେଖୁ ଘଟ
ମୋର ଶବ ପାଳଟିବ
ସଂସାରୁ କ୍ଷଣିକେ ସିଏ
ଉଭେଇ ଯେ ଯିବ ।।
ଯେତେ ଜ୍ଞାତି ପରିଜନ
ସବୁ କୁଟୁମ୍ବ ସ୍ବଜନ
ପାରିବେନି କେହି ରଖି
ମୋହରି ପରାଣ ।।
ଅଜ୍ଞନତା ବସେ ବାହାସ୍ପୋଟ ମାରେ
କେହି ଆହା କରିବେନି ,
କେହି ଯିବେ ନାହିଁ ସାଥେ ।।
ହୃଦ ଜପୁଥାଉ ତୁମ ନାମ
ତୁଣ୍ଡ କହୁଥାଉ ଅହରହ ଜଗନ୍ନାଥ..
ହରେ କୃଷ୍ଣ ହରେ ରାମ ଜପି
ଯାଉ ମୋହର ପ୍ରାଣ ।।
ଜୀବନେ ଦର୍ଶନ ମିଳୁ
ଆହେ ଜଗତର ନାଥ ଜଗନ୍ନାଥ
ପ୍ରାଣ ହରିବ ଯେ ମୋର
ଏତିକି କହି କରେ ପ୍ରଣିପାତ ।।
ସତ୍ୟ ପଥେ ନେବ
ମୋତେ ହସ୍ତ ଧରିଥିବ
ତୁମେ ମୋର ସବୁ ଅଟ
ହେ କଳା ବଦନ ।।
ସଂସାରୁ ଉଦ୍ଧାର କର ହେ
ମୋତେ ରାଧା ଗୋବିନ୍ଦ,
କରେ କୋଟି କୋଟି ନମସ୍କାର
ତୁମ ନାମ ଧ୍ୟାୟି କରେ ମୁଁ ସ୍ମରଣ ।। 🙏🙏
ପଦ୍ମାବତୀ ବାରିକ
ଭୁବନେଶ୍ୱର
ପିଲାଟିଏ ବେଳୁ ଦୁଃଖ ସୁଖ ବାଟ ଦେଇ,
ଚାଲୁଥିଲି ଚାଲୁଛି ମୁଁ ଏକୁଟିଆ ହୋଇ ।
ବାପାମାଆ ଭାଇ ସ୍ନେହ ଆଦର ରେ ବଢି,
ବଡ ମୁଁ ହେଇଛି ଆଜି ଖାଲି ପାଠ ପଢି ।
ଇଚ୍ଛା ମୋର ହୁଏ ସାଥୀ ଉଡି ବୁଲିବାକୁ,
ହେଲେ ଖଣ୍ଡିଉଡା ଦେଇ ପଡେ ମୁଁ ତଳକୁ ।
ସୁଖ ଶାନ୍ତି ଅଛି ହେଲେ ମନ ହୁଏ ଘାରୀ,
ପୂରା କେବେ କରିବି ମୋ ସ୍ବପ୍ନ ଅସୁମାରୀ ।
ପିଞ୍ଜରା ବାହାରେ ଯେବେ ଯିବାକୁ ମୁଁ ଚାହେଁ,
ପରିବାର ହସଖୁସି ମୋତେ ବାଧା ଦିଏ ।
କେତେ ଆଦରରେ ସତେ ବଢ଼ିଛି ମୁଁ ଆଜି,
ଭାବିଲେ ପାଦ ଯିବାକୁ ହୁଏ ନାହିଁ ରାଜି ।
ମରୂଭୁମି ପ୍ରାୟ ମନେ ଧିରେ ଧିରେ ଆସି,
ବସାଟିଏ କରି ତୁମେ ଗଲ କେବେ ବସି ।
ପାରିଲିନି ଭାଙ୍ଗି ମୁଁ ଯେ ତୁମର ସେ ବସା,
ତୁମ ସହ ଜିଇଁବାକୁ ଗଢୁଛି ମୁଁ ଆଶା ।
ହାତଧରି ନେଇ ଚାଲ ତୁମରି ସାଥିରେ,
ଉଡି ବୁଲିବାକୁ ଇଚ୍ଛା ହୁଏ ପୁଣି ଥରେ ।
ଯାହା ବି କରୁଛି ଠିକ୍ ଭୁଲ୍ ଜାଣେନାହିଁ,
ଏତିକି ଜାଣିଛି ସବୁ ବାସ୍ ତୁମ ପାଇଁ !