
ମଧୁର ବଚନ ମଧୁର ସପନ
ମଧୁ ସ୍ମୃତି ପାରାବାରେ
ମଧୁ ମଧୁ ରାତି ପାହିଯାଏ ନିତି
ମଧୁ ମାଦକତା ଝରେ ।।
ମଧୁର ଜୀବନ ମଧୁ ବାସସ୍ଥାନ
ମଧୁର ତୁମର ହସ
ମଧୁ ମଧୁ ଭାଷା ମଧୁର ମଞ୍ଜୁଷା
ମଧୁଲୀଳା ତୁମ ରାସ ।।
ମଧୁର କୁଜନ ସୁମଧୁର ସ୍ୱନ
ମଧୁବନେ କାକଳୀର
ମଧୁ ମଧୁବନ୍ତୀ ଗୁଣୁ ଗୁଣୁ ନିତି
ମଧୁ ଚୁମ୍ବି ସୁମନର ।।
ମଧୁର ମିଳନ ମଧୁ ଗୁଞ୍ଜରଣ
ମଧୁ ବେଶଭୂଷା ପାଶେ
ମଧୁର ପରାଣେ ମଧୁ ସମ୍ମୋହନେ
ମଧୁ ପ୍ରିୟା ଆସି ବସେ ।।
ମଧୁର ପରଶେ ମଧୁ ମଧୁ ହାସେ
ମଧୁ ଗୁଣେ କ୍ଷମା କର
ମଧୁ ଏକା ସିନା ମଧୁର ପଣିଆ
ମଧୁ ଦୃଷ୍ଟି ଶଶାଙ୍କର ।।
ମଧୁରର ଭାବ ମଧୁର ବିଭବ
ମଧୁ ରାତି ମଧୁପାନ
ମଧୁ ଯନ୍ତ୍ରଣାର ମଧୁ ମଧୁ ସ୍ୱର
ମଧୁରରେ ପଡେ ମ୍ଳାନ ।।
ମଧୁର ଯାମିନୀ ମଧୁ ସୁହାଗିନୀ
ମଧୁର ମୋହରେ ପ୍ରିୟା
ମଧୁ ବସନ୍ତର ମଧୁର ମଳୟ
ମଧୁ ଅଧରର ଛୁଆଁ ।।
ମଧୁର ଠାଣିରେ ମଧୁର ବାଣୀରେ
ମଧୁର ମୂର୍ଛନା ତୋଳି
ମଧୁ ଉଛ୍ୱାସରେ ମଧୁ ବିଶ୍ୱାସରେ
ମଧୁ ଜୀବନ ଦୀପାଳୀ ।।
ମଧୁର ମୂର୍ଛନା ମଧୁର କାମନା
ମଧୁ ମହକର ସ୍ୱର
ଯୁଗ ଯୁଗ ଯାଏ ଅମ୍ଳାନ ରହୁ ଏ
ମଧୁ ଭାବ ଜୀବନର ।।
ରଞ୍ଜୁଲତା ପାଢୀ,ରାଉରକେଲା (1st)

କେବେ କିଣେ ଓଠର ହସ
କେବେ ତୋଷଇ ମନ,
ମଧୁର ସମ୍ପର୍କ ର ପୁଣି
ଅଟେ ସିଏ ମାଧ୍ୟମ ।
କେବେ ପୁଣି ବିରହର ଲୁହ
କେବେ ମଧୁର ସ୍ମୃତି,
ସୃଷ୍ଟି ସିଏ ବନ୍ଧୁତ୍ବ ର
ରଖେ ତାକୁ ସାଇତି ।
କେବେ ଆସେ ସ୍ୱାର୍ଥ ନେଇ
କେବେ ଥାଏ ସର୍ତ୍ତ,
ନିବିଡ଼ ଭାବ ଡୋରି ସିଏ
ବ୍ୟର୍ଥ ନୁହେଁ ତା’ର ଅର୍ଥ ।
ମାନବ ଜନ୍ମ ଶ୍ରେଷ୍ଠ ହେବ
ମୁଖେ ଥିଲେ ସେହି,
ମଧୁର ବଚନ ପାଶେ
ଟଙ୍କା ର ମୂଲ୍ୟ ନାହିଁ ।
ସହ-ସମ୍ପାଦିକା
ପୁଷ୍ପଲତା ଦିଗାର
ବାରିପଦା, ମୟୂରଭଞ୍ଜ

ତୁମରି ବଚନେ ଦିନ ର ଆରମ୍ଭ
ଦିନ ସରେ ତୁମ ବଚନେ
ମଧୁର ବଚନ ତୁମରି ଗୋ ମାଆ
ସ୍ନେହ ଭରେ ମୋର ମନେ ।।
ଯେତେ କଷ୍ଟ ହେଉ,ଯେତେ ଦୁଃଖ ହେଉ
ଲାଘବ ହୁଅଇ ସବୁ
ମାଆ ତୁମେ ଯେବେ କହି ଦିଅ ପଦେ
କେମିତି ଅଛୁରେ ବାବୁ ।।
ଥକା ହୋଇ ଯେବେ ଘର କୁ ଫେରେ ମୁଁ
ପୁଅ ବୋଲି ତାର ଡାକ
ସବୁ ଥକା ମୋର ଦୂର ହୋଇଯାଏ
ମେଣ୍ଟି ଯାଏ ମୋର ଭୋକ ।।
ସୁଚିଶ୍ମିତା କର
ବାଲେଶ୍ଵର

ନୀଳ ଆକାଶେ ଭାସି ବୁଲେ
ଧଳା ମେଘର ଭେଳା
ଶ୍ଵେତ ରଙ୍ଗର ପଦ୍ମ ଦେଖି
ମନେ ଖୁସି ର ମେଳା ।
ନଦୀ ଧାରେ କାଶତଣ୍ଡି
ଦେଇ ଯାଏ ବାର୍ତ୍ତା
ଦୁର୍ଗା ମାଆ ଙ୍କ ଆଗମନେ
କହେ କେତେ କଥା ।
ଭାସି ଆସେ ପବନ ରେ
ଶେଫାଳୀ ର ଗନ୍ଧ
ଢୋଲ ତାଳେ ନାଚେ ମନ
ସତେ କି ଆନନ୍ଦ ।
ମାଆ ଙ୍କର ଆଗମନ
ଆସୁ ଖୁସି ନେଇ
ଏଇ ପ୍ରାର୍ଥନା ତାଙ୍କ ପାଶେ
କରେ ମନ ଦେଇ ।
ହୃଦୟ ର ଆସନରେ
ବସି କର ଋଣି
ସର୍ବ ବିଘ୍ନ ହର ତୁମେ
ଏତିକି ମାଗୁଣି ।
ପୁଷ୍ପଲତା ଦିଗାର
ବାରିପଦା,ମୟୂରଭଞ୍ଜ

ଓଡିଶା ମାଟିରେ ଜନମ ମୋର
ମଧୁର କୋମଳ ମୋ ଭାଷା ସ୍ବର ।
ମୁଁ ଓଡ଼ିଆ ମୋର ଭାଷା ବଢ଼ିଆ
ସୈନିକ ଆମର ଅଟେ ଲଢ଼ୁଆ ।
ଛଉ ଗୋଟିପୁଅ ଓଡ଼ିଶୀ ନୃତ୍ୟ
ଦେଶ ବିଦେଶରେ ହୁଏ ଚର୍ଚ୍ଚିତ ।
ପାହାଡ ଝରଣା କେଡ଼େ ସୁନ୍ଦର
କାରୁକାର୍ଯ୍ୟ ଭରା ଆମ ମନ୍ଦିର ।
ଯାଜପୁର ଜିଲ୍ଲା ବିରଜା କ୍ଷେତ୍ର
ଦେଖିଲେ ପବିତ୍ର ହୁଅଇ ନେତ୍ର ।
କାବ୍ୟ କବିତାର ସ୍ୱୀକୃତି ଗାର
ଦେଲେ ଅଭିମନ୍ୟୁ ସାମନ୍ତ ସିଂହାର ।
ବୈତରଣୀ ନଦୀ ଭଳି ଅନେକ
ବୋହି ଯାଇଅଛି ସ୍ରୋତରେ ବାଙ୍କ ।
ପାଲା ଘୋଡ଼ାନାଚ ଦାସକାଠିଆ
ଆମ ପରମ୍ପରା ଆଗରେ ଠିଆ ।
ଓଡ଼ିଆଙ୍କ ପ୍ରାଣ ପଖାଳ କଂସା
ହୋଇଥାଏ ଘରେ ଘରେ ପରସା ।
ବାର ମାସେ ତେର ପରବ ଯାତ
ଆରିଶା କାକରା ମଣ୍ଡା ଯାବତ ।
ଭିତର କନିକା କୁମ୍ଭୀର ଚାଷ
ଗହୀରମଥାରେ କଇଁଛ ବାସ ।
ନନ୍ଦନକାନନ ପ୍ରାଣୀ ପ୍ରାଚୁର୍ୟ୍ଯ
ଭାରତେ ଅନନ୍ୟ ରାଜ୍ୟ ଐଶ୍ୱର୍ଯ୍ୟ ।
ଖଣ୍ଡଗିରି ଲିଙ୍ଗରାଜ ଚିଲିକା
ବାଙ୍କୀ ଅଧୀଶ୍ଵରୀ ମାଆ ଚର୍ଚ୍ଚିକା ।
କେ ହୋଇବ ମୋର ରାଇଜ ସମ
କୋଣାର୍କର ଶିଳା ଶିଳ୍ପୀଙ୍କ ଦମ ।
ଚନ୍ଦକା ଅରଣ୍ୟ ଧଉଳି କୀର୍ତ୍ତି
ନୀଳାଚଳ ଧାମେ ଚତୁର୍ଦ୍ଧା ମୂର୍ତ୍ତି ।
ଯା’ ଚରଣ ଧୁଏ ନୀଳ ସାଗର
ମହେନ୍ଦ୍ର ଗିରି ଯା ଉନ୍ନତ ଶିର ।
ଏହି ପୂଣ୍ୟ ତୀର୍ଥେ ଲଭିଲି ଜନ୍ମ
ଗର୍ବିତ ଓଡ଼ିଆ ମୋ ପୁଣ୍ୟ କର୍ମ ।
✍ *ଅମରନାଥ ବାରିକ୍*
💌 *କୟାଁ,ମଙ୍ଗଳପୁର, ଯାଜପୁର*
ନିଶ୍ୱାସେ ହରି ବିଶ୍ୱାସେ ହରି
ଭବ ସଂସାରୁ କରିବେ ପାରି
ହରି ଚରଣେ ଗଲେ ଶରଣ
ବାଧା ବିଘ୍ନ ସବୁ ହୋଇ ବ ଲୀନ..!
ମନ ଯାହାର ନୀରିମଳ ହୃଦୟେ ହରି ଙ୍କ ର ବାସ
ତାଙ୍କରି ଦୟା ତାଙ୍କରି ମାୟା ଦୋଷ ଥିଲେ ସେ କରନ୍ତି କ୍ଷମା….!
ଲୋଡ଼ା ନାହିଁ ଯେ ତାର କିଛି ଭକ୍ତି ରେ ଦେବ ଯାହା ଯାଚି
ମନ ଆନନ୍ଦେ କୋଳେଇ ନେବେ ଭକ୍ତ ମନ ରେ ଶ୍ରଦ୍ଧା ଉପୁଜେ.!
ବେଳ ବେଳସୁ ଗଲେ ସୁଧୁରି ଭୟ ନଥିବ ମନ ରେ କାଲି
ତୁଣ୍ଡେ ଉଚ୍ଚାରୀ ଶ୍ରୀ ହରି ନାମ
ଛୁଇଁ ପାରିବନି ମାୟା କଷଣ
ହରି ନାମରେ ଅଛି କି ରସ
ପାଇଛି ଯିଏ ଜାଣିଛି ସିଏ
ସଞ୍ଜ ସକାଳେ ନାମ ସ୍ମରଣ କରିବ ଯେ ଜନ
ପାଇବ ପୁଣ୍ୟ…!
ତୁମ ସେବା ରେ ଯାଉମୋ ଦିନ
ତୁମ ନାମ ଭଜି ଯାଉ ଜୀବନ..!
ଭାବ ଡୋରେ ବନ୍ଧା ମୋର ଜୀବନ
ତୁମ ବିନା ପ୍ରଭୁ ପ୍ରାଣ ଅସାର..!
✍️ଗୁରୁଚରଣ ମହାକୁଡ଼ 🏡ଯାଜପୁର
⭕️‼️⭕️

ବିଶ୍ଵ ଦରବାରେ ଇତିହାସ ର ପୃଷ୍ଠାରେ ସ୍ଵର୍ଣ୍ଣିମ ଅକ୍ଷରରେ ସତେ, ଲେଖିଗଲେ ମୋ ଦେଶର ବୈଜ୍ଞାନିକମାନେ ଗୌରବର ପଙକ୍ତି କେତେ ।। ଦୂର ରାଇଜର ଜହ୍ନମାମୁଁ ପୃଥିବୀ ର ଆଜି ହେଇଗଲା କି ଭାଇ, ଚନ୍ଦ୍ରଯାନ ବାନ୍ଧି ଦେଲା ଏମିତି ବନ୍ଧନ ବିଜ୍ଞାନର ବଳକୁ ନେଇ ।। ପିଲାଦିନେ ମାଆ କାଖରେ କାଖେଇ କେତେ ଜହ୍ନକୁ ସେ ଇଙ୍ଗିତ କରି, ସରଗ ଶଶୀକୁ ଡାକେ ଆଢ଼ୁଆଳ କରି ମାମୁଁ ମାମୁଁ ତୋହର କରି ।। ଅନୁଭୂତ ଆଜି ହୁଏ ଏମିତି ଯେମିତି ଜହ୍ନ ପାଖେ ମୁଁ ଅଛି ବସି, ଆନନ୍ଦ ଲହରୀ ଉଲ୍ଲସଇ ପ୍ରତିପ୍ରାଣେ ଗର୍ବିତ ସାରା ଦେଶବାସୀ ।। ଅନେକ ଅପେକ୍ଷା ର ଅନ୍ତ ଘଟିଲା ଆଜି ଏକ ନୂଆ ଇତିହାସ ନେଇ, ଆଶା ଆକା°କ୍ଷାର ଚିର ସ୍ଵପ୍ନ ସତ ହେଲା ଏ ଅମ୍ଳାନ ସଫଳତା ପାଇ ।। ସାରା ବିଶ୍ୱ ଚକିତ ଦେଖି ଗାରିମା ରାଜି ଜହ୍ନ ର ଦକ୍ଷିଣେ ଭାରତ, ଅଭିନନ୍ଦନ ସେ ବୀର ଦକ୍ଷ ବୈଜ୍ଞାନିଙ୍କୁ ବିଶ୍ଵ କୁ କଲେ ନତମସ୍ତ ।।ସ୍ଵପ୍ନା ବାଗ ବଲାଙ୍ଗୀର

ପ୍ରଥମ କରି ଯେବେ ଖଡି ମୁଁ ଧରିଲି
ଭେଟ ହେଲା ତା’ ସାଥିରେ
ଅକ୍ଷରୁ କିପରି ଶବ୍ଦ ଗଢିହୁଏ
ପଢିଥିଲି ମୁଁ ତହିଁରେ।ଅ ରୁ ଆରମ୍ଭ ଚନ୍ଦ୍ରବିନ୍ଦୁ ଯାଏଁ
ସବୁଥିଲା ପ୍ରଥମ ପୃଷ୍ଠାରେ
ଶେଷ ପୃଷ୍ଠା ପୁଣି ଡର ଲାଗୁଥାଏ
ଦେଖି ପଣିକିଆ ଧାଡ଼ିରେ।ବିଲୁଆ ପୁଣି କେଡେ ଚତୁର
ପଢିଥିଲି ସେହି ବହିରେ
ମାମୁଁ ମାଡ଼ ଖାଇ ଭୂଇଁ ରେ ମୁଁ ଶୋଇ
ଆଜି ହଜେ ସେଇ ସ୍ମୃତି ରେ।ମାତ୍ରା,ଫଳା ସଙ୍ଗେ ଯୁକ୍ତାକ୍ଷର
ସଭିଁଙ୍କୁ ଶିଖାଏ ନକରି ଭେଦ
କି ସୁନ୍ଦର ଆହା କି ମନୋହର
ଛବିଳ ମଧୁ ବର୍ଣ୍ଣବୋଧ।ପୁଷ୍ପଲତା ଦିଗାର
ବାରିପଦା, ମୟୂରଭଞ୍ଜ

ସ୍ମୃତି ଗୋ ତୁମେ ନିଦାଘ ତାତିର
ଅଦିନ ବରଷା ଟୋପା,
ଘନ ଅନ୍ଧକାରେ ଡିବିରି ଶିଖା ତ
ଛାଇ ଆଲୁଅର ଗପା |
ବର୍ଷା ଭିଜା ରାତି ଖୋଲାକାଶ ତଳେ
ମିଳନ ର ମଧୁ ବାସ୍ନା,
ଡାଏରୀ ଭିତର ଅଦେଖା ଫର୍ଦରେ
ଅବଶୋଷ ବାକି ତୃଷ୍ଣା |
ଭଗ୍ନ କୋଣାର୍କର କଳା କାରୁ କା6ର୍ଯ୍ୟ
ଖୋଦିତ ପ୍ରସ୍ଥର ମୂର୍ତ୍ତି,
ଅଭିଲେଖ ପରେ ଖୋଦେଇ ସାହିତ୍ୟ
ଶ୍ରମଣ ଅକ୍ଷୟ କୀର୍ତ୍ତି |
ମନ ଅଭିଧାନେ ଅତୀତ ବିଭବ
ଦୁଃଖ ସୁଖ ଲାଭ କ୍ଷତି,
କରଜ ଖାତାରେ ପାରିବା ପଣିଆ
ଭାଇଙ୍କ ଅପାର ଖ୍ୟାତି |
ଉପନ୍ୟାସ ଅବା ଅଣୁଗଳ୍ପ ଥିରେ
ଦରଦ ଦରଜ ଉକ୍ତି,
ବାଧା ବିଘ୍ନ ଡେଇଁ ଆଗକୁ ବଢିବା
ମାଆଙ୍କ ଅସୀମ ଶକ୍ତି |
ଦାମିକା ଜାମାକୁ ସ୍କୁଲ ଡ୍ରେସ ପ୍ୟାଣ୍ଟ
ଟାଇ, ବେଲ୍ଟ, ଜୋତା ଆଦି,
ଖଣ୍ଡିଆ ଚପଲ ଚିରା କପଡାରେ
ବାପାଙ୍କ ଖୁସିର ପଦୀ |
ସଞ୍ଜ ନଇଁଗଲେ ପଶ୍ଚିମ ଆକାଶେ
କବି ଜୀବନର ବ୍ୟଥା,
ସୁରୁଜ ଉଇଁଲେ ଆକାଶ ଫାଙ୍କରେ
ବନ୍ଦୀର ବିଳାପ କଥା |
ଘଣ୍ଟା କଣ୍ଟା ପରି ବୟସ ପ୍ରାଙ୍ଗଣେ
କେତେ ଅନୁଭୂତି ଗାଥା,
ଅବଶେଷ ସେଇ ଦରପୋଡା ଦେହ
ଜିଅନ୍ତା ମଣିଷ ପନ୍ଥା |
ସ୍ମୃତି ଗୋ ତୁମେ ପ୍ରୀତି ନଈ କୂଳେ
ବନ୍ଧୁର ଦୁର୍ଗମ ରାସ୍ତା,
ଜୀବନ ନାଟକେ କେବେ ସାଜ ତୁମେ
ବିରହର ବୋଝ ବସ୍ତା !